କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଝାଡେଶ୍ୱରପୁର ଗ୍ରାମରେ ମୋର ଜନ୍ମ। ଗାଁ ହାଇସ୍କୁଲ୍ରୁ ୧୯୭୧ରେ ମାଟ୍ରିକ୍ ପାସ୍ କରିବା ପରେ କେନ୍ଦ୍ରାପଡ଼ା କଲେଜରେ ବିଜ୍ଞାନରେ ପ୍ରି-ୟୁନିର୍ଭସିଟି ପଢିଥିଲି। ତା’ପରେ ଭୂବନେଶ୍ୱରସ୍ଥିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୃଷି ମହାବିଦ୍ୟାଳୟରେ ସ୍ନାତକ ପଢିଲି। ତେବେ ସ୍ନାତକର ପ୍ରଥମ ବର୍ଷ ପଢୁଥିବାବେଳେ ଗୋଟେ ଛୋଟ ପିଲାକୁ ଟ୍ୟୁଶନ କରିବା ଆରମ୍ଭ କରିଥିଲି; ଯେଉଁଥିରୁ ମୋତେ ୨୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଏହି ୨୦ ଟଙ୍କା ହିଁ ଥିଲା ମୋ ଜୀବନର ପ୍ରଥମ ରୋଜଗାର; ଯାହାକି ଜଳଖିଆ ଖାଇବାରେ ଖର୍ଚ୍ଚ ହୋଇଯାଉଥିଲା। ସେହିପରି କୃଷି ସ୍ନାତକର ଶେଷବର୍ଷ ବେଳକୁ ଆଉଥରେ ରୋଜଗାରର ସୂଯୋଗ ପାଇଥିଲି। ସେତେବେଳେ କଲେଜର ଜଣେ ସାର୍ କ୍ଷୁଦ୍ର ନାମମାତ୍ର ଚାଷୀଙ୍କ ପାଇଁ କେତୋଟି ବ୍ଲକରେ ସର୍ଭେ କରୁଥିଲେ। ମୁଁ ବି ସେଥିରେ ସାମିଲ ହେଲି; ଆଉ ପାରିଶ୍ରମିକ ବାବଦରେ ୫୦୦ ଟଙ୍କା ମୋତେ ମିଳିଲା। ସେହି ଟଙ୍କା ବି ଖାଇବା, ପିଇବା ଓ ଚଳିବାରେ ଖର୍ଚ୍ଚ ହୋଇଯାଉଥିଲା। ୧୯୭୬ ମସିହାରେ ମୋ ପାଠପଢା ସରିଲା। ଆଉ ତା’ପରେ ଓଡ଼ିଶା ସରକାରଙ୍କ କୃଷି ବିଭାଗରେ କୃଷି ଓଭରସିୟର ଭାବେ ମୋତେ ଚାକିରି ମିଳିଲା। ପୋଷ୍ଟିଂ କୋରାପୁଟରେ ହୋଇଥିଲା। ଦରମା ମାସକୁ ୫୦୦ ଟଙ୍କା। କହିବାକୁ ଗଲେ ବିଧିବଦ୍ଧ ଭାବେ ଏହା ହିଁ ଥିଲା ମୋର ପ୍ରଥମ ସ୍ଥାୟୀ ରୋଜଗାର; ଯେଉଁଥିରୁ ୨୦୦ ଟଙ୍କା ବାପାଙ୍କ ପାଖକୁ ପଠାଇଥିଲି। ବାକି ଟଙ୍କାରେ ନିଜ ଚଳିବା ପାଇଁ ଗୋଟେ ବେଡ୍ସିଟ ଆଉ କିଛି ଷ୍ଟିଲ୍ ବାସନ କିଣିଥିଲି। ତା’ପରେ ବି ଆଉ କିଛି ଟଙ୍କା ବଳିଥିଲା, ଯେଉଁଥିରେ ମାସକଯାକ ମୁଁ ଚଳିଥିଲି। ତେବେ ଉକ୍ତ ପଦବୀରେ ମୁଁ ୧୯୮୬ ମସିହା ଯାଏଁ କାମ କଲି। ତା’ପରେ ୧୯୮୭ରେ ଭାରତୀୟ ସାଧାରଣ ବୀମା ନିଗମରେ ପ୍ରଶାସନିକ ଅଧିକାରୀ ଭାବେ ଯୋଗ ଦେଇ ୨୦୧୫ରେ ଚିଫ୍ ରିଜିଓନାଲ୍ ମ୍ୟାନେଜର ଭାବେ ଚାକିରୀରୁ ଅବସର ନେଇଥିଲି। ଏବେ ପରିଣତ ବୟସରେ ଉପନୀତ। କିନ୍ତୁ ଲେଖାଲେଖିରେ ସକ୍ରିୟ ରହିଛି। ଏଥିସହିତ ‘ଡାକ୍ତରଖାନା’, ‘ମ୍ୟାରେଜ୍ ବ୍ୟୁରୋ’, ‘ଅନ୍ୟ ଏକ ନିର୍ଭୟା’, ‘ଡେରୀ ନ ହୋଇଯାଉ’, ‘ ଉପାୟ ଅଛି’ ଟାଇଟଲ୍ ବିଶିଷ୍ଟ ୫ଟି ନାଟକ ରଚନା କରିସାରିଲିଣି। ଏହି ନାଟକଗୁଡ଼ିକ ଭୁବନେଶ୍ୱରର ବିଭିନ୍ନ ମଞ୍ଚରେ କଳାକାରଙ୍କ ଦ୍ୱାରା ପରିବେଷିତ ହୋଇସାରିଲାଣି। କିନ୍ତୁ ଅବଶୋଷ ଏହାକୁ ପୁସ୍ତକ ଆକାରରେ ଏଯାଏଁ ପ୍ରକାଶିତ କରିପାରିନି। ନାଟକ ବ୍ୟତୀତ ମୋର ଅନେକ ପ୍ରବନ୍ଧ ଓ କବିତା ବିଭିନ୍ନ ପତ୍ରିକା ଓ ଖବରକାଗଜରେ ପ୍ରକାଶିତ ହୋଇଛି। ବିଶେଷକରି କୃଷି ଭିତ୍ତିକ ବହୁ ପ୍ରବନ୍ଧ ‘ଧରିତ୍ରୀ’ ଖବରକାଗଜରେ ପ୍ରକାଶ ପାଇ ମୋତେ ଅନେକ ପାଠକୀୟ ପ୍ରଶଂସା ମିଳିଛି। ତେବେ ଜୀବନରେ ବହୁ ଯଶଖ୍ୟାତି ଆଉ ଧନ ଉପାର୍ଜନ କରିଥିଲେ ହେଁ ପ୍ରଥମ ରୋଜଗାରର ସ୍ମୃତି ମୋ ପାଇଁ ଚିରସ୍ମରଣୀୟ ହୋଇ ରହିଛି ଆଉ ରହିଥିବ।