ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ, ୧୩ରୁ ଆବେଦନ

ଭୁବନେଶ୍ୱର,୧୧ା୯(ଅସମାପିକା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ) ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଓ୍ବେବ୍‌ସାଇଟ୍‌ରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୩ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ ଓସେପା ଓ୍ବେବ୍‌ସାଇଟ୍‌ରେ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ସମୟ ଆସନ୍ତା ଅକ୍ଟୋବର ୧୦ ତାରିଖ। କିଛି ବର୍ଷ ବ୍ୟବଧାନରେ ବ୍ୟାପକ ସଂଖ୍ୟାରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ। ବିଭାଗ ଅଧୀନରେ ହେବାକୁ ଥିବା ଏହି ୨୦ ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯିବ। କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲା ଅନୁସାରେ ଜିଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକ (ସିମାଟିକ)ଙ୍କୁ ନିଯୁକ୍ତି ଦିଆଯିବ। ଓସେପାରେ ଓ୍ବେବ୍‌ସାଇଟ୍‌ରେ ନିଯୁକ୍ତି ପାଇଁ ଜିଲାଓ୍ବାରୀ ପଦବୀ, ଲିଖିତ ପରୀକ୍ଷାର ସିଲାବସ, କେଉଁ କେଉଁ ତଥ୍ୟ ଅପଲୋଡ୍‌ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି। ଓସେପାର ୱେବସାଇଟ (https://osepa.odisha.gov.in)ରେ ଆଶାୟୀମାନେ ଆବେଦନ କରିବେ । ଏହା ବ୍ୟତୀତ ଅନ୍ୟକୌଣସି ମାଧ୍ୟମରେ ଆବେଦନକୁ ସ୍ବୀକାର କରାଯିବ ନାହିଁ । ଆଶାୟୀମାନେ ଉପଯୁକ୍ତ ଇମେଲ ଆଇଡି ଏବଂ ମୋବାଇଲ ନମ୍ବର ଦେଇ ନିଜ ନାମ ପଞ୍ଜୀକରଣ କରିବେ। ଏହା ପରେ ଆବଶ୍ୟକ ତଥ୍ୟ ଅପଲୋଡ କରି ଆବେଦନ କରିବେ। ଅନ୍‌ଲାଇନ୍‌ରେ ଆବେଦନ କରିବା ସମୟରେ ଯଦି କୌଣସି ସମସ୍ୟା ଦେଖାଯାଏ, ତେବେ ଆଶାୟୀମାନେ ହେଲ୍ପଡେସ୍କର ୭୩୫୩୯୨୭୭୭୯ ନମ୍ବରରେ ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ।

Share