Advertisement

୨୦ ଭେଣ୍ଡରଙ୍କୁ କଳାତାଲିକାଭୁକ୍ତ କରାଗଲାନି

ନୟାଗଡ଼/ଭାପୁର,୨୮।୯(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ଭେଣ୍ଡର ଆକାଉଣ୍ଟ ଖୋଲି ନୟାଗଡ଼ ଜିଲାର ଭାପୁର ବ୍ଲକରେ ୫୧ କୋଟି ୨୭ ଲକ୍ଷ ଠକେଇ ଘଟଣାରେ କାର୍ଯ୍ୟାନୁଷ୍ଠାନ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନ୍‌ଆର୍‌ଇଜିଏସ୍‌)ରେ କଞ୍ଚାମାଲ ଯୋଗାଣ ନାଁରେ ହୋଇଥିବା ମହାଦୂର୍ନୀତିର ଖୋଳତାଡ କରି ୨୦ ଭେଣ୍ଡରଙ୍କୁ କଳାତାଲିକା ଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ୨୦୨୨ ଜୁଲାଇରେ ସ୍ଥାନୀୟ ଜନସାଧାରଣ ଭାପୁର ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଇନାହିଁ। ଏବେ ପଚାରିଲେ ଉତ୍ତର ମିଳୁଛି ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତେବେ କାର୍ଯ୍ୟାନୁଷ୍ଠାନ କେଉଁଠି ଅଟକି ରହିଛି ସେନେଇ କାହା ପାଖରେ ଉତ୍ତର ନାହିଁ। ଏହି ଦୂର୍ନୀତିରେ ବଡବଡିଆକୁ ନ ଫସାଇବାକୁ ଉଦ୍ୟମ ଚାଲୁଥିବା ଚର୍ଚ୍ଚା ହେଉଛି।
ଅଭିଯୋଗ ଅନୁଯାୟୀ, ଏମ୍‌ଜିଏନ୍‌ଆରଇଜିଏସ୍‌ ମହାଦୁର୍ନୀତିରେ ଭାପୁର ବ୍ଳକ ବଦନାମ ର ବୋଝ ମୁଣ୍ଡାଇଛିି। ଭାପୁର ବ୍ଲକର ବିଭିନ୍ନ ବ୍ୟକ୍ତି ଓ ସଂସ୍ଥା ପକ୍ଷରୁ ଭେଣ୍ଡର ଆକାଉଣ୍ଟ ଖୋଲି ଏମ୍‌ଜିଏନ୍‌ଆରଇଜିଏସ୍‌ର କାମରେ କଞ୍ଚାମାଲ ଯୋଗାଣ କରିଥାନ୍ତି। ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଭେଣ୍ଡର ୨୦୧୭ରୁ ୨୦୨୨ ମଧ୍ୟରେ କଞ୍ଚାମାଲ ଯୋଗାଇଥିବା ଜଣାପଡିଛି। ତେବେ ୨୦ ଭେଣ୍ଡର ଅନିୟମିତତାରେ ଛନ୍ଦି ହୋଇ ପଡିଛନ୍ତି। ଭାପୁର ବ୍ଲକରେ ଏହି ୫ ବର୍ଷ ମଧ୍ୟରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଅନେକ କାମରେ ଫଲସ୍‌ ବିଲ୍‌ ହୋଇଛି। କିଛି ଦୁର୍ନୀତି ପ୍ରମାଣିତ ହୋଇଥିବାବେଳେ ଆଉ କିଛି ତଦନ୍ତ ପର୍ଯ୍ୟାୟରେ ରହିଛି। ପୁଣି କିଛି ଦୁର୍ନୀତିକୁ ଚାପି ଦିଆଯାଇଛି। ଆଉ କିଛି ସ୍ଥାନରେ ଯନ୍ତ୍ରରେ କାମ କରି ମିଥ୍ୟା ଶ୍ରମ ଦିବସର କାଗଜାତ ପ୍ରସ୍ତୁତ କରି ଅନେକ କୋଟି ଟଙ୍କା ହଡପ କରାଯାଇଛି। କୌଣସି ପ୍ରକଳ୍ପ ପାଇଁ ସିମେଣ୍ଟ, ଲୁହାଛଡ, ଗେଟି, ପଥର, ବାଲି ପରି ଉପକରଣ ଦେବା ପାଇଁ କେତେଜଣ ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କୁ ଚିହ୍ନଟ କରି ଅନୁକମ୍ପା ପ୍ରଦର୍ଶନ ଦେଖାଦେଇଛି। ଯାହାର ନଜିର ଗୋଟିଏ ରାସ୍ତା ୨୧ ଥର ବିଲ୍‌ ହେବା ଘଟଣା ଲୋକ ଲୋଚନକୁ ଆସିଛି। ଗୋଟିଏ ରାସ୍ତାକୁ ୨୧ ଥର ବିଲ୍‌ କରିବା ଘଟଣାରେ ୫କୋଟି ୬ ୧ଲକ୍ଷ ଉଠାଣ ହୋଇଛି। ଏଥିରେ ୧୮ ପ୍ରତିଶତ ଜିଏସ୍‌ଟି ରହିଛି। ଜିଏସ୍‌ଟି ଅର୍ଥ ଭେଣ୍ଡର ଚଞ୍ଚକତା କରି ହଡପ କରିଛନ୍ତି। ସେହିଭଳି ଜଣେ ଜିଆରଏସ୍‌ଙ୍କର ସ୍ବାମୀ ୧୦ କୋଟି ୪୪ ଲକ୍ଷ ଠକେଇ କରି ନେଇଥିବାବେଳେ ଏଥିରେ ଜିଏସଟି ୧୮ ପ୍ରତିଶତ ଟଙ୍କା ହଡପ ହୋଇଛି। ପୁଣି ଅନ୍ୟ ଜଣେ ଜିଆରଏସ୍‌ଙ୍କର ବଡଭାଇ ୧୧ କୋଟି ୬୩ ଲକ୍ଷ ଅନୁରୂପ ଭାବେ ହଡପ କରିଛନ୍ତି। ଏହିପରି ଅଧିକାଂଶ ପ୍ରକଳ୍ପର କାମ ହୋଇ ନ ଥିଲେ ହେଁ ଦୁଇଗୁଣା ଜିଏସ୍‌ଟି ପରି ମିଥ୍ୟା କାଗଜାତ ଡିପୋଜିଟ୍‌ କରି ଭେଣ୍ଡରମାନେ ଲାଭବାନ ହୋଇଛନ୍ତି। ଏହି ଅନିୟମିତତାରେ କିଛି ସ୍ଥାନୀୟ ନେତା, ପ୍ରଶାସନର ବହୁ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ରହିଛିି। ହେଲେ ତଦନ୍ତ ନାଁରେ ଘଟଣାକୁ ଚାପି ଦିଆଯାଇଥିବା ମତ ପ୍ରକାଶ ପାଇଛି।

ଏନେଇ ଭାପୁରର ସୁଦାମ ପ୍ରଧାନ କୁହନ୍ତି, ଭେଣ୍ଡର ଆକାଉଣ୍ଟରେ ଅନେକ କୋଟି ଟଙ୍କା ହଡପ ହୋଇଛି। ଏହି ଦୁର୍ନୀତିକୁ ଚାପିବାକୁ ଚାପ ବଢ଼ୁଛି। ଏଣୁ ତଦନ୍ତ ଅଧାବାଟରେ ଚପି ଯାଉଛି। କାର୍ଯ୍ୟାନୁଷ୍ଠାନ ନାଁରେ ଫାଇଲ ଅଟକି ରହିଛି କହି ସେ କ୍ଷୋଭ ପ୍ରକାଶ କରିଥିଲେ। ଭାପୁର ବିଡିଓ ରଞ୍ଜିତ ମଲିକ କୁହନ୍ତି, ଭେଣ୍ଡର ଆକାଉଣ୍ଟ ଖୋଲି ୫୧ କୋଟି ୨୭ ଲକ୍ଷ ଟଙ୍କା ଠକେଇ ଘଟଣା ଅଭିଯୋଗ ପରେ ଜିଲାସ୍ତରୀୟ ଓ ଉଚ୍ଚସ୍ତରୀୟ ତଦନ୍ତ ହୋଇଛି। ତଦନ୍ତରେ ଅନିୟମିତତା ଜଣାପଡିବା ପରେ କାରଣଦର୍ଶାଅ ନୋଟସ୍‌ ଜାରି ହୋଇଛି। ଏପରି କି ମାମଳା କରାଯିବା ସହ ଟଙ୍କା ରିକୋଭରି ପାଇଁ ଚିଠି ହୋଇଛି। ସରକାରୀ ଅନାଇନ ମୁତବାକ ଯାହା କିଛି କରାଯିବାର ବ୍ୟବସ୍ଥା ରହିଛି ସେପରି କରାଯାଉଛି।

Share