Categories: ଜାତୀୟ

ଯୁବତୀଙ୍କୁ ଅପହରଣ ପରେ ଗଣବଳାତ୍କାର: ବହିଷ୍କୃତ ହେଲେ ଭାଜପା କର୍ମକର୍ତ୍ତା

ଭୋପାଳ, ୨୨ା୨- ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ୪ ଜଣ ଦୁର୍ବୃତ୍ତ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ମଧ୍ୟପ୍ରଦେଶର ଶାହଦୋଲ ଜିଲାର ଜଣେ ଭାଜପା କର୍ମକର୍ତ୍ତା। ଅଭିଯୋଗ ଦାୟର ହେବା ପରେ ରାଜ୍ୟର ଶାସକ ଦଳ ରବିବାର ଉକ୍ତ କର୍ମକର୍ତ୍ତାଙ୍କ ପ୍ରାଥମିକ ସଦସ୍ୟତା ବାତିଲ କରିଦିଆଯାଇଛି।

ଯୁବତୀଙ୍କୁ ଏକ ଚାରି ଚକିଆ ଯାନରେ ପ୍ରଥମେ ଅପହରଣ କରି ଜେତ୍‌ପୁର ଥାନା ଅଞ୍ଚଳରେ ଥିବା ଫାର୍ମହାଉସକୁ ନେଇଥିଲେ। ସେଠାରେ ଜୋର ଜବରଦସ୍ତି ଯୁବତୀଙ୍କୁ ନିସା ସେବନ କରାଇଥିଲେ। ଏହାପରେ ଦୁଇ ଦିନ ଧରି ଗଣବଳାତ୍କାର କରିବା ପରେ ୨୦ ତାରିଖରେ ଯୁବତୀଙ୍କୁ ଘର ସାମ୍ନାରେ ୪ ଜଣ ଦୁର୍ବୃତ୍ତ ଫିଙ୍ଗି ଦେଇଥିଲେ ବୋଲି ଶାହଦୋଲ ସୁପ୍ରିଟେନଡେଣ୍ଟ ଅଫ୍‌ ପୋଲିସ (ଏଏସ୍‌ପି) ମୁକେଶ ବୈଷ କହିଛନ୍ତି। ପୀଡ଼ିତାଙ୍କୁ ପ୍ରଥମେ ଜେତ୍‌ପୁର ହେଲ୍‌ଥ ସେଣ୍ଟର ନିଆଯାଇଥିଲା। ପରେ ଚିକିତ୍ସା ଲାଗି ଜିଲା ହସ୍ପିଟାଲ ପଠାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ଏଫ୍‌ଆଇଆରରେ ଜେତ୍‌ପୁର ମଣ୍ଡଳୀର ଭାଜପା ମୁଖ୍ୟ ବିଜୟ ତ୍ରିପାଠୀଙ୍କ ନାଁ ଥିବା ଜଣାପଡ଼ିବା ପରେ ତାଙ୍କୁ ବହିଷ୍କୃତ କରିଛି ରାଜ୍ୟ ଭାଜପା।

Share