Categories: ଜାତୀୟ

ଟ୍ରେନ୍‌ ଟଏଲେଟ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ମୁମ୍ବାଇ,୯।୫: ମହାରାଷ୍ଟ୍ର ପାଲଘର ଜିଲା ଅନ୍ତର୍ଗତ ଡାହାନୁ ରୋଡ୍‌ ରେଲଓ୍ବେ ଷ୍ଟେଶନରେ ସ୍ବରାଜ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବତୀଙ୍କ ନାମ ଆରତୀ କୁମାରୀ ଏବଂ ସେ ବିହାରର ହୋଇଥିବା ତାଙ୍କ ଆଧାର କାର୍ଡରୁ ଜଣାପଡ଼ିଛି।

ଯୁବତୀଙ୍କ ଗଳାରେ କପଡ଼ା ଗୁଡ଼ାଇ ହୋଇଥିବା ବେଳେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ କହିଛି। ଟ୍ରେନ୍‌ଟି ବାନ୍ଦ୍ରାରୁ ଜମ୍ମୁତାଓ୍ବି ଅଭିମୁଖେ ଯାଉଥିଲା। ଯୁବତୀ ଜଣକ ଟ୍ରେନ୍‌ରେ ଚଢ଼ିବା ପରେ ଟଏଲେଟ୍‌ ଯାଇଥିଲେ। ପରେ ସେ ନିଜ ସିଟ୍‌କୁ ଫେରି ନ ଥିବା ଦେଖି ବଗିରେ ଥିବା ଅନ୍ୟ ଯାତ୍ରୀମାନେ ରେଳ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଜିଆର୍‌ପି ପୋଲିସ ପହଞ୍ଚି ଟଏଲେଟ୍‌ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ହେଲେ ପୋଲିସ ଯୁବତୀଙ୍କ ମୃତଦେହ ଦେଖିବାକୁ ପାଇଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଜିଆର୍‌ପି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share