ବଳାତ୍କାରୀଙ୍କୁ ୨୦ବର୍ଷ କାରାଦଣ୍ଡ

ଝାରସୁଗୁଡ଼ା ଅଫିସ,୨୯ା୯: ଝାରସୁଗୁଡ଼ା ଜିଲା ଦୌରାଜଜ୍‌ ସତ୍ୟବ୍ରତ ମିଶ୍ର ଗୁରୁବାର ଏକ ବଳାତ୍କାର ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ସନାତନ କିଷାନଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ପୀଡିତାଙ୍କୁ ୧ ଲକ୍ଷ ଟଙ୍କା ଆର୍ଥତ୍କ ସହାୟତା ପ୍ରଦାନ କରିବାକୁ କୋର୍ଟ ରାୟରେ ନିର୍ଦ୍ଦେଶ ଦେଇଛନ୍ତି।

ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଗଙ୍ଗାଧର ଗଡନାୟକ ମାମଲା ପରିଚାଳନା କରୁଥିଲେ। ମାମଲାର ପ୍ରକାଶ ଯେ, ଝାରସୁଗୁଡ଼ା ଥାନା ଅଞ୍ଚଳରେ ୨୦୧୯ ଜାନୁୟାରୀ ୧ ତାରିଖ ରାତିରେ ନୂଆବର୍ଷ ପାଳନ କରାଯାଉଥିଲା। କାର୍ଯ୍ୟକ୍ରମ ସରିବା ପରେ ବିବାହିତା ମହିଳା ଜଣକ ଘରକୁ ଫେରୁଥିଲେ। ହେଲେ ବାଟରେ ୨ଜଣ ଯୁବକ ତାଙ୍କୁ ଟେକି ନେଇ ବଳାତ୍କାର କରିଥିଲେ। ଏ ନେଇ ପୀଡିତାଙ୍କ ପରିବାର ପକ୍ଷରୁ ଝାରସୁଗୁଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୩/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଏଥିରେ ଜଣେ ନାବାଳକ ଥିବା ଜଣାପଡିଛି।

Share