ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

ବ୍ରହ୍ମପୁର,୧୩ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ପ୍ରଭାତ କୁମାର ରାଜଗୁରୁ ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ଘଟଣାର ୬ବର୍ଷ ପରେ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ବଡ଼ଗଡ଼ ଥାନା ଅଞ୍ଚଳର ସୋମନାଥ ରଥ(୩୬)। ବିଚାରପତି ତାଙ୍କ ରାୟରେ ଅଭିଯୁକ୍ତ ସୋମନାଥଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୨୦ ହଜାର ଟଙ୍କା ଜରିମାନା ଦେବାକୁ ସେ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ବିଚାରପତି ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ସେହିପରି ଜଜ୍‌ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ , ୨୦୧୭ ଏପ୍ରିଲ ୧୪ରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ମା’ ବଡ଼ ବାପାଙ୍କ ଘରେ ଛାଡ଼ି ମନ୍ଦିର ଯାଇଥିଲେ। ଉକ୍ତ ଦିନ ମଧ୍ୟାହ୍ନରେ ଘରେ କେହି ନ ଥିବା ବେଳେ ନାବାଳିକା ଜଣଙ୍କ ଏକାକୀ ଥିଲେ। ସେହି ସମୟରେ ଉକ୍ତ ନାବାଳିକାଙ୍କ ଜଣେ ସମ୍ପର୍କୀୟ ଦାଦା ଘରକୁ ଆସିଥିଲେ। ସେଠାରେ ସେ ଉକ୍ତ ନାବାଳିକାଙ୍କୁ ଭୟଭୀତ କରାଇ ବଳପୂର୍ବକ ବଳାତ୍କାର କରିଥିଲେ। ଏନେଇ ଅଭିଯୋଗ ପରେ ବଡ଼ଗଡ଼ ପୋଲସ କେସ୍‌ ନମ୍ବର ୧୦୦/୧୭ରେ ସୋମନାଥ ରଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାରଣା ବେଳେ ୧୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସାକ୍ଷୀମାନଙ୍କ ବୟାନ ଓ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜଶିଟ୍‌କୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଜଜ୍‌ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ନାରାୟଣ ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିଲେ।

Share