ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର,୭ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍‌ ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ବୁଧବାର ଏକ ୧୪ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ବିଚାର କରି ଦୈତାରୀ ଥାନା ଅନ୍ତର୍ଗତ ନୂଆବେଡ଼ା ଗ୍ରାମର ବିଜୟ କୁମାର ବାରିକ (୨୧)ଙ୍କୁ ପୋକ୍ସୋ ଧାରା ୬ ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା, ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ୨୦୨୧ ଜୁନ ୧୫ ଅପରାହ୍ନରେ ପୀଡ଼ିତା ନିଜ ଘରୁ ସାଇକେଲରେ ବ୍ରାହ୍ମଣୀପାଳର ସାଙ୍ଗ ଘରକୁ ଅନ୍ୟ ଜଣେ ସାଙ୍ଗ ସହ ଯାଇଥିଲେ ଏବଂ ବହୁତ ସମୟ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନ ଥିଲେ। କିନ୍ତୁ ସେହି ରାତି ଏକ ଫୋନ ନମ୍ବରରୁ କଲ୍‌ ଆସିଥିଲା ଯେ, ପୀଡ଼ିତା ବ୍ରାହ୍ମଣୀପାଳରେ ଅଛନ୍ତି। ଉକ୍ତ ମୋବାଇଲ ନମ୍ବରକୁ ଟ୍ରୁକଲରରେ ଦେଖିବାରୁ ତାହା ବିଜୟ କୁମାର ବାରିକଙ୍କର ବୋଲି ଜଣାପଡ଼ିଥିଲା। ଏହି ନିଖୋଜ ମାମଲାକୁ ପୀଡ଼ିତାଙ୍କ ପରିବାର ଦୈତାରୀ ଥାନାରେ ଜୁନ୍‌ ୧୭ରେ ଲିଖିତ ଅଭିଯୋଗ କରିଥିଲେ। ଦୈତାରୀ ଥାନା କେସ୍‌ ନମ୍ବର ୪୪/୨୧ ରେଜିଷ୍ଟ୍ରେଶନ ହୋଇ ପୋଲିସ ପୀଡ଼ିତାଙ୍କୁ ଆସାମୀଙ୍କ ପାଖରୁ ଜୁନ୍‌ ୨୬ରେ ବ୍ରାହ୍ମଣୀପାଳ ନିକଟରୁ ଉଦ୍ଧାର କରିବା ସହ ଆସାମୀକୁ କୋର୍ଟ ଚାଲାଣ କରିଥିଲା। ଆଜି ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଆସାମୀ ବିଜୟ କୁମାର ବାରିକଙ୍କୁ ଉକ୍ତ କେସରେ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ପ୍ରକାଶ କରିବା ସହ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ସୁପାରିସ କରିଛନ୍ତି। ଏହି କେସ୍‌ରେ ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା ମାମଲା ପରିଚାଳନା କରୁଥିଲେ।

Share