ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ନିରଞ୍ଜନ କାରୁଆଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦାୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୀଡିତାଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ କୋର୍ଟ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୦ ଅଗଷ୍ଟ ୧୯ ତାରିଖରେ କେନ୍ଦୁଝର ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକା ଶୌଚ ପାଇଁ ବାହାରକୁ ଯାଇଥିଲେ । ହେଲେ ସେ ଆଉ ଘରକୁ ଫେରି ନ ଥିଲେ। ଏନେଇ ନାବାଳିକାଙ୍କ ବାପା ଘଟଣାର ୩ ଦିନ ପରେ ଟାଉନ ଥାନାରେ ଏକ ଏତଲା ଦେଇଥିଲେ । ପାଟଣା ଥାନା ଉଦୟପୁର ଗ୍ରାମର ନିରଞ୍ଜନ କାରୁଆ(୨୦) ନାବାଳିକା ଝିଅଙ୍କୁ ଅପହରଣ କରିଥିବା ସେ ଏତଲାରେ ଦର୍ଶାଇଥିଲେ । ଏନେଇ ଟାଉନ ପୋଲିସ ଏକ ମାମଲା(ନଂ.୨୧୯/୨୦୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ତଦନ୍ତ ପରେ ଅଭିଯୁକ୍ତ ନିଜ ଗ୍ରାମ ଉଦୟପୁରକୁ ଆସିଥିବା ଖବର ପାଇଥିଲା। ଏନେଇ ପୋଲିସ ଟିମ୍‌ ଚଢାଉ କରି ଅଭିଯୁକ୍ତ ନିରଞ୍ଜନଙ୍କୁ ଗିରଫ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଅପହରଣ କରି ନାବାଳିକାକୁ ଜୋରଜବରଦସ୍ତ ବଳାତ୍କାର ସହ ବିବାହ କରିଥିବା ନେଇ ପୋଲିସ ନିକଟରେ ନାବାଳିକା ପ୍ରକାଶ କରିଥିଲେ। କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟ ୧୭ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଗୁରୁବାର ନିରଞ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।

Share