ଦୋଷୀଙ୍କୁ ୨୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୨୮।୯: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ବାଲେଶ୍ୱର ଜିଲା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ରଞ୍ଜନ କୁମାର ସୂତାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦ବର୍ଷ ଜେଲ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ଜରିମାନା ଅନାଦେୟ ଆଉ ୨ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ଏଥିସହିତ ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ଜିଲା ଲିଗାଲ ଆଇନ୍‌ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୯ ସେପ୍ଟେମ୍ବର ୧୭ ତାରିଖରେ ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ୪ ବର୍ଷୀୟା ନାବାଳିକାଙ୍କୁ ସଞ୍ଜୟ ଦାସ (୪୨) ନାମକ ବ୍ୟକ୍ତି ପିଇବା ପାଇଁ ପାଣି ମାଗିଥିଲେ। ନାବାଳିକା ଜଣକ ପାଣି ଆଣି ଦେବା ସମୟରେ ସଞ୍ଜୟ ଏହାର ସୁଯୋଗ ନେଇ ତାଙ୍କୁ ଘର ଭିତରକୁ ନେଇ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ନାବାଳିକା ଜଣକ କାନ୍ଦି କାନ୍ଦି ତାଙ୍କ ମା’ଙ୍କୁ କହିଥିଲେ। ଏନେଇ ଗ୍ରାମରେ ବୈଠକ ବସିଥିଲା। ନାବାଳିକାଙ୍କୁ ନେଇ ପରିବାର ଲୋକେ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକେ ସଞ୍ଜୟଙ୍କୁ ପଚାରିବାରୁ ସେ ଓଲଟା ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ପରେ ନାବାଳିକାଙ୍କ ପରିବାର ଲୋକେ ସିଂଲା ଥାନାରେ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ମାମଲା ବାଲେଶ୍ୱର ପୋକ୍‌ସୋ କୋର୍ଟରେ ବିଚାରଧୀନ ଥିବା ବେଳେ ମଙ୍ଗଳବାର ରାୟ ପ୍ରକାଶ ପାଇଛି। ୧୨ ଜଣ ସାକ୍ଷ୍ୟ ଓ ୧୪ ଦଲିଲ ଦସ୍ତାବିଜକୁ ଭିତ୍ତି କରି ଜଜ୍‌ ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମକଦ୍ଦମାକୁ ପରିଚାଳନା କରୁଥିଲେ।