ବଳାତ୍କାର ମାମଲାରେ ୨୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍‌ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସଦର ଥାନା ଅନ୍ତର୍ଗତ ଉପରକାଇପୁର ଗ୍ରାମର ଅଭିଯୁକ୍ତ ସଞ୍ଜୁ ଦେହୁରୀ(୩୦)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ୨୦.୯.୨୦୨୦ ସନ୍ଧ୍ୟାରେ ଏତଲାକାରୀଙ୍କ ନାବାଳିକା ଭଉଣୀଙ୍କୁ ସେହି ଗ୍ରାମର ଅଭିଯୁକ୍ତ ସଞ୍ଜୁ ଦେହୁରୀ ଅପହରଣ କରି ନେଇ ତାଙ୍କ ମାଉସୀ ଘର ଗ୍ରାମରେ ରଖି ବାରମ୍ବାର ବଳାତ୍କାର କରିଥିଲେ। ଏ ବିଷୟରେ ପୀଡ଼ିତାଙ୍କ ଭାଇ ଥାନାରେ ଏକ ନିଖୋଜ ଲିଖିତ ତା ୨୩.୦୯.୨୦୨୦ ରିଖରେ ଅଭିଯୋଗ କରିବା ପରେ ସଦର ଥାନାରେ କେସ୍‌ ନଂ ୨୮୯ ତା ୨୩.୦୯.୨୦୨୦ ରେ ମାମଲା ରୁଜୁ ହୋଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା। ପୀଡ଼ିତାଙ୍କ ସହ ଅଭିଯୁକ୍ତଙ୍କ ବୟାନ ରେକର୍ଡ ହେବା ପରେ ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ କୋର୍ଟ ଚାଲାଣ କରାଯାଇଥିଲା। ଶନିବାର ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପୋକ୍ସୋ କୋର୍ଟର ବିଚାରପତି ଅଭିଯୁକ୍ତଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ଏବଂ ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ସୁପାରିସ କରିଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ର ଜେନା କେସ୍‌ ପରିଚାଳନା କରୁଥିଲେ।

Share