କେନ୍ଦୁଝର,୧୭ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ହରିଚନ୍ଦନପୁର ଥାନା ଅନ୍ତର୍ଗତ ନନ୍ଦରା ଗ୍ରାମର ୨୨ ବର୍ଷୀୟ ଯୁବକ ଦୀପକ ମୁଖୀ ଓରଫ୍ ଦୀପୁଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ସୁପାରିସ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ୧୭ ବର୍ଷୀୟା ନାବାଳିକା ଚମ୍ପୁଆ ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ତା-୨୯ା୪ା୧୪ରେ ପ୍ରଲୋଭନ ଦେଖାଇ ଘରେ କେହି ନ ଥିବା ସମୟରେ ଅପହରଣ କରି ନେଇଯାଇଥିଲେ। ଉକ୍ତ ଘଟଣାକୁ ନେଇ ନାବାଳିକାଙ୍କ ବାପା ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତିକରି ଚମ୍ପୁଆ ପୋଲିସ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧାଙ୍ଗରପଡ଼ାରୁ ଅଭିଯୁକ୍ତଙ୍କୁ ତା-୭ା୬ା୧୪ରେ ଗିରଫ କରି ପୀଡ଼ିତାଙ୍କୁ ଉଦ୍ଧାର କରି ପଚରାଉଚରା କରିବା ପରେ ଝିଅକୁ ଅପହରଣ କରି ତା’ ସହ ବାରମ୍ବାର ବଳାତ୍କାର କରିବା କଥା କହିଥିଲେ।
ଏଣୁ ଅଭିଯୁକ୍ତଙ୍କୁ ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରାଯାଇଥିଲା। ଶନିବାର ପେକ୍ସୋ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ୧୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଆସାମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା କେସ୍ ପରିଚାଳନା କରୁଥିଲେ।