ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୫ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାକୁ ବଳାତ୍କାର କରିବା ଘଟଣାରେ ଅଭିଯୁକ୍ତଙ୍କ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଜିଲା ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ମାନସ କୁମାର ମିଶ୍ର। ଏହି ଘଟଣାରେ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ଜରିମାନା ପ୍ରଦାନ କରାଯାଇଥିବା ବେଳେ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ରାୟ ପ୍ରଦାନ ହୋଇଛି ା

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୭ ମାର୍ଚ୍ଚ ୧୩ରେ ଏହି ଗ୍ରାମରେ ଥିବା ମାମୁଘରକୁ ନିଜ ମା’ଙ୍କ ସହ ଆସିଥିବା ଜଣେ ୫ ବର୍ଷର ନାବାଳିକା ବାହାରେ ଖେଳୁଥିବା ସମୟରେ ସେହି ଗ୍ରାମର ଘନଶ୍ୟାମ ପାତ୍ର (୨୮) ହୋଲି ଖେଳିବାକୁ ଡାକିନେଇ ସ୍କୁଲ ଘର ପାଇଖାନାରେ ବଳାତ୍କାର କରି ମୁମୂର୍ଷୁ ଅବସ୍ଥାରେ ଛାଡ଼ି ପଳାଇଥିଲେ। ନାବାଳିକା କାନ୍ଦି କାନ୍ଦି ଘରକୁ ଆସି ମାଆଙ୍କୁ ସବୁ ଘଟଣା କହିଥିଲା ମା’ଙ୍କ ଏତଲାକୁ ଆଧାର କରି ସଦର ପୋଲିସ କେସ୍‌ ନଂ ୯୩/୧୭ରେ ଓ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠାରୁ ସେ ବିଚାରାଧୀନ ବନ୍ଦୀ ଭାବେ କେନ୍ଦୁଝର ଜିଲା କାରାଗାରରେ ଥିଲେ। ଆଜି ଏହି ମାମଲାର ବିଚାର ହୋଇ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଭିଯୁକ୍ତଙ୍କୁ ଶନିବାର ଦିନ କୋର୍ଟ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ର ନାଥ ଜେନା ମାମଲା ପରିଚାଳନା କରୁଥିଲେ। ପୀଡ଼ିତାଙ୍କୁ ଆଇନ ସହାୟତା କେନ୍ଦ୍ର ତରଫରୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ଆଦେଶ ଦିଆଯାଇଛି।