
ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ପୋକ୍ସୋ ଅଦାଲତର ବିଚାରପତି ଜ୍ଞାନରଞ୍ଜନ ପଟ୍ଟନାୟକ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣିକରି ଅଭିଯୁକ୍ତ ଶିବଶଙ୍କର ବରୁଆ(୩୨)ଙ୍କୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ଲକ୍ଷ ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ପାଇଁ ତାଙ୍କ ରାୟରେ ଆଦେଶ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ୨୦୨୧ ମେ ୫ ତାରିଖ ଅପରାହ୍ନ ପ୍ରାୟ ୫ଟାବେଳେ କିଞ୍ଜିରିକେଲା ଥାନା ଅଞ୍ଚଳର ପୀଡିତା ୯ ବର୍ଷୀୟା ନାବାଳିକା ଜଣକ ତାଙ୍କ ସାଙ୍ଗମାନଙ୍କ ସହ ଖେଳୁଥିଲେ। ଏହି ସମୟରେ ଶିବଶଙ୍କର ତାଙ୍କୁ ଫୁସୁଲେଇ ଟେକି ନେଇ ପାଖରେ ଥିବା ବୁଦାମୂଳେ ତାଙ୍କୁ ବଳାତ୍କାର କରି ଫେରାର ହୋଇଯାଇଥିଲେ। ଏହାପରେ ପୀଡ଼ିତାଙ୍କ ଜଣେ ପିଉସୀ ତାଙ୍କୁ ଦେଖି ତାଙ୍କ ମାଆଙ୍କୁ ଖବର ଦେଇଥିଲେ। ଖବର ପାଇ ତାଙ୍କ ମାଆ ସେଠାରେ ପହଞ୍ଚିଥିଲେ। ସେତେବେଳେ ଝିଅ କାନ୍ଦୁଥିବା ଓ ତାଙ୍କ ପ୍ୟାଣ୍ଟରେ ରକ୍ତ ଦେଖି ଘରକୁ ନେଇ ଝିଅକୁ ପଚାରିବା ପରେ ତା’ସହ ହୋଇଥିବା ଅନୈତିକ ଘଟଣା ସମ୍ପର୍କରେ କହିଥିଲା।
ପରଦିନ ପୀଡିତା ନାବାଳିକାଙ୍କ ମାଆ ଏ ସମ୍ପର୍କରେ କିଞ୍ଜିରିକେଲା ଥାନାରେ ରିପୋର୍ଟ କରିଥିଲେ। ରିପୋର୍ଟ ପରେ ପୋଲିସ କିଞ୍ଜିରିକେଲା ଥାନାରେ କେସ୍ ନମ୍ବର ୪୫/୨୦୨୧ରେ ଏକ ମାମଲା ରୁଜୁକରି ନାବାଳିକାର ଡାକ୍ତରୀମାଇନା ଓ ବୟାନ ରେକର୍ଡ ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବିଚାରପତି ୧୯ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ପରେ ଶନିବାର ଏହି ମାମଲାର ଶୁଣାଣି କରିଥିଲେ। ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ପୀଡିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ସକାଶେ ଜିଲା ଆଇନସେବା ପ୍ରାଧିକରଣଙ୍କୁ ଆଦେଶ କରିଛନ୍ତି। ସ୍ବତନ୍ତ୍ର ପୋକ୍ସୋ କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ଦେବାଶିଷ ମିଶ୍ର ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିଲେ।