Categories: ଫୁରସତ

ବିନା କାମରେ ୨୦ ବର୍ଷ ଦରମା

ପ୍ୟାରିସ: କାର୍ଯ୍ୟ ସମ୍ପାଦନ କରି ଅଫିସ ବା ସଂସ୍ଥାରୁ ଦରମା ନ ମିଳିଲେ କ୍ଷୁବ୍ଧ କର୍ମଚାରୀ ଆଇନର ଆଶ୍ରୟ ନେଇଥାନ୍ତି। କିନ୍ତୁ ଫ୍ରାନ୍ସରେ ଏହାର ଓଲଟା ଦେଖିବାକୁ ମିଳିଛି। ଜଣେ ମହିଳା କର୍ମଚାରୀଙ୍କୁ ଟେଲିକମ୍‌ କମ୍ପାନୀ ଅରେଞ୍ଜ କିଛି କାମ ନ ଦେଇ ଦୀର୍ଘ ୨୦ ବର୍ଷ ଧରି ମାସିକ ଦରମା ଦେଇଆସୁଥିଲା। ଲରେନ୍ସ ଭାନ୍‌ ଓ୍ବାସେନ୍‌ହୋବ୍‌ ନାମ୍ନୀ ଏହି ମହିଳା କର୍ମଚାରୀ କମ୍ପାନୀର ଏଭଳି ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ଫ୍ରାନ୍ସ ଟେଲିକମ୍‌ରେ ଲରେନ୍ସ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ସେ ଆଂଶିକ ପକ୍ଷାଘାତ ରୋଗଗ୍ରସ୍ତ ହୋଇଥିଲେ। ତେଣୁ ସେ କେବଳ ସଚିବ ଏବଂ ମାନବ ସମ୍ବଳ ଅଧିକାରୀ ଭାବେ କାମ କରୁଥିଲେ। ୨୦୦୨ରେ ଅସୁସ୍ଥତା ଦର୍ଶାଇ ସେ ଅନ୍ୟତ୍ର ବଦଳି ହେବାକୁ ଆବେଦନ କରିଥିଲେ। ତାଙ୍କ ବଦଳି ଅନୁରୋଧକୁ କମ୍ପାନୀ ଗ୍ରହଣ କରିଥିବା କହିଥିଲା କିନ୍ତୁ ନୂତନ କର୍ମସ୍ଥଳରେ ସେ ଖାପ ଖୁଆଇ ଚଳିପାରି ନ ଥିଲେ। ଅରେଞ୍ଜ କମ୍ପାନୀ ତାଙ୍କୁ କୌଣସି ନୂଆ କାମ ନ ଦେଇ ଦରମା ଦେଇ ଚାଲିଥିଲା। ଦୁଇ ଦଶନ୍ଧି ଲରେନ୍ସ ବିନା କାମରେ ଦରମା ପାଇବା ସତ୍ତ୍ୱେ ଏଭଳି ସ୍ଥିତିରେ ‘ନୈତିକ ନିର୍ଯାତନା’ର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ଲରେନ୍ସ ଯୁକ୍ତି ବାଢ଼ିଛନ୍ତି, ବିନା କାମରେ ଦରମା ଗ୍ରହଣ କରିବା ଦ୍ୱାରା ସେ ନିଃସଙ୍ଗ ହୋଇଯିବା ସହ ବୃତ୍ତିଗତ ଦକ୍ଷତା ହରାଇଥିଲେ। ଅନ୍ୟପକ୍ଷେ ଟେଲିକମ୍‌ କମ୍ପାନୀ ଲରେନ୍ସଙ୍କ ପ୍ରତି କୌଣସି ଭେଦଭାବପୂର୍ଣ୍ଣ ଆଚରଣ କରିନାହିଁ ବୋଲି କହିଛି। ଲରେନ୍ସ ନିୟମିତ ଭାବେ ଅସୁସ୍ଥତା ଯୋଗୁ ଛୁଟି ନେଉଥିବାରୁ ତାଙ୍କୁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନ ପାଇଁ ଦିଆଯାଇ ନ ଥିଲା।

Share