Categories: ଜାତୀୟ

ଜୟା ଜେଟ୍‌ଲୀଙ୍କୁ ୪ ବର୍ଷ ଜେଲ

ନୂଆଦିଲ୍ଲୀ, ୩୧ା୭(ପି.ଟି.):ପ୍ରତିରକ୍ଷା ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ସମତା ପାର୍ଟିର ପୂର୍ବତନ ଅଧ୍ୟକ୍ଷା ଜୟା ଜେଟ୍‌ଲୀ ଓ ଅନ୍ୟ ଦୁଇଜଣଙ୍କୁ ଦିଲ୍ଲୀର ଏକ ଅଦାଲତ ଗୁରୁବାର ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୦୦-୦୧ରେ ପ୍ରତିରକ୍ଷା ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହି ପ୍ରତିରକ୍ଷା ଚୁକ୍ତିନାମାରେ ଦେଶର ସମଗ୍ର ପ୍ରତିରକ୍ଷା ବ୍ୟବସ୍ଥା ସହ ସାଲିସ୍‌ କରାଯାଇଥିଲା ବୋଲି ସ୍ବତନ୍ତ୍ର ସିବିଆଇ ଜଜ୍‌ ବୀରେନ୍ଦର ଭଟ୍ଟ କହିବା ସହ ଏହି ମାମଲାରେ ଜୟାଙ୍କ ପୂର୍ବତନ ଦଳୀୟ ସହକର୍ମୀ ଗୋପାଳ ପଚେରଓ୍ବାଲ ଏବଂ ଅବସରପ୍ରାପ୍ତ ମେଜର ଜେନେରାଲ ଏସ୍‌.ପି. ମୁର୍ଗାଇଙ୍କୁ ମଧ୍ୟ ୪ ବର୍ଷ ଲେଖାଏ ଜେଲ୍‌ଦଣ୍ଡାଦେଶ ଦେଇଛନ୍ତି। ପ୍ରତିରକ୍ଷା ବିଭାଗ ଦେଶର ସ୍ବାଧୀନତା ଓ ସାର୍ବଭୌମତ୍ୱ ସହ ସିଧାସଳଖ ଜଡ଼ିତ ହୋଇଥିବାରୁ ଏଥିରେ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବନି। ଦୋଷୀସାବ୍ୟସ୍ତ ବ୍ୟକ୍ତିମାନେ କରିଥିବା ଅପରାଧ ଅତି ଗର୍ହିତ ବୋଲି ଅଦାଲତ କହିଛନ୍ତି। କ୍ୟାମେରା ଆଗରେ ମାମଲାର ଶୁଣାଣି ଓ ଦଣ୍ଡବିଧାନ କରାଯାଇଥିଲା। ୩ ଦୋଷୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ଦାଖଲ କରିବା ସହ ଗୁରୁବାର ଅପରାହ୍ନ ୫ଟା ପୂର୍ବରୁ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପରେ ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଦିଲ୍ଲୀ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ଜୟାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବିଶିଷ୍ଟ ଆଇନଜୀବୀ ମୁକୁଲ ରୋହତଗୀ ଜୟାଙ୍କ ପକ୍ଷରୁ ହାଇକୋର୍ଟ ବିଚାରପତି ସୁରେଶ କୁମାର କୈତ୍‌ଙ୍କ ଖଣ୍ଡପୀଠରେ ଅପିଲ୍‌ କରିଥିଲେ। ତେବେ ଅନ୍ୟ ଦୁଇଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇନାହାନ୍ତି। ଥର୍ମାଲ ଇମେଜର କିଣାରେ ହୋଇଥିବା ଦୁର୍ନୀତି ଓ ଅପରାଧ ଷଡ଼ଯନ୍ତ୍ରରେ ୩ ଅଭିଯୁକ୍ତଙ୍କୁ ସିବିଆଇ କୋର୍ଟ ଦୋଷୀସାବ୍ୟସ୍ତ କରିଥିଲେ। ୨୦୦୧ ଜାନୁୟାରୀରେ ନ୍ୟୁଜ୍‌ ପୋର୍ଟାଲ ତେହେଲକା ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍‌ ଅପରେଶନରୁ ଏହି ଦୁର୍ନୀତି ପଦାକୁ ଆସିଥିଲା।

Share