କଟକରୁ ପୁରୀ ଗଡ଼ିବ ୨୦୦ ବସ୍‌

କଟକ,୭ା୭ (କାର୍ତ୍ତିକ ସାହୁ)ପୁରୀ ରଥଯାତ୍ରାକୁ ଯାତ୍ରୀ ପରିବହନ ପାଇଁ କଟକରୁ ପ୍ରାୟ ୨୦୦ ବସ୍‌ ଗଡ଼ିବ। କଟକ ନେତାଜୀ ବସ୍‌ ଟର୍ମିନାଲ(ସିଏନ୍‌ବିଟି)ରୁ ବସ୍‌ଗୁଡ଼ିକ ଯାତ୍ରୀ ନେଇ ପୁରୀ ଅଭିମୁଖେ ଯାତ୍ରା କରିବେ। ରଥଯାତ୍ରାରେ ପୁରୀକୁ ଯାତ୍ରୀ ପରିବହନ ପାଇଁ ସିଏନ୍‌ବିଟିରେ ସ୍ବତନ୍ତ୍ର ଭାବେ ୧୩ଟି ବେ’ ରିଜର୍ଭ ରଖାଯାଇଥିବା ଜଣାଯାଇଛି।
କଟକ ବସ୍‌ ମାଲିକ ସଂଘ ସଭାପତି ପ୍ରିୟବ୍ରତ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ସିଏନ୍‌ବିଟିର ୪ ନମ୍ବର ବେ’ରୁ ପୁରୀକୁ ନିୟମିତ ବସ୍‌ଗୁଡ଼ିକ ଯାଉଛି। ମାତ୍ର ରଥଯାତ୍ରା ପାଇଁ ୧୩ଟା ବେ’ ସ୍ବତନ୍ତ୍ର ଭାବେ ରିଜର୍ଭ ରଖାଯାଇଛି। ସେଥିମଧ୍ୟରୁ ୬ଟି ବେ’ରେ ସ୍ବତନ୍ତ୍ର ବସ୍‌ ଓ ୭ଟି ବେ’ରେ ନିୟମିତ ବସ୍‌ଗୁଡ଼ିକ ଯାତ୍ରୀ ଉଠାଇବେ। ସକାଳ ୭ଟାରୁ ସ୍ବତନ୍ତ୍ର ବସ୍‌ଗୁଡ଼ିକ ଚାଲିବ। କଟକରୁ ପୁରୀକୁ ନିୟମିତ ୮୫ଟି ବସ୍‌ ଚାଲୁଛି। ସନ୍ଧ୍ୟା ସୁଦ୍ଧା ୭୩ଟି ବସ୍‌ ପୁରୀ ପାଇଁ ସ୍ବତନ୍ତ୍ର ପରମିଟ୍‌ ଆଣିଥିବାବେଳେ ପରବର୍ତ୍ତୀ ସମୟରେ ଏହା ଅଧିକ ହେବାର ଆଶା ରହିଛି। ଏହାବାଦ୍‌ ପାର୍ଶ୍ୱବର୍ତ୍ତୀ ଜିଲାରୁ ବସ୍‌ଗୁଡିକ କଟକ ଦେଇ ପୁରୀ ଯାତାୟାତ କରିପାରିବ। ତେବେ ଏସବୁକୁ ମିଶାଇ ପ୍ରାୟ ୨୦୦ ବସ୍‌ ରଥଯାତ୍ରା ଅବସରରେ କଟକରୁ ପୁରୀ ଯାତ୍ରୀ ପରିବହନରେ ନିୟୋଜିତ କରାଯାଇଛି। ପ୍ରାୟ ୫୦ଟି ବସ୍‌ ଏସି ଥିବାବେଳେ ଅବଶିଷ୍ଟ ବସ୍‌ଗୁଡ଼ିକ ନନ୍‌ଏସି। ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ପକ୍ଷରୁ ନିର୍ଦ୍ଧାରିତ ଭଡ଼ାଠାରୁ କେହି ଟଙ୍କାଏ ବି ଅଧିକ ନେବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏସ୍‌ଟିଏ ପକ୍ଷରୁ ପ୍ରଚଳିତ ବସ୍‌ ଭଡ଼ା ଅନୁସାରେ କଟକରୁ ପୁରୀକୁ ଏସି ବସ୍‌ ଭଡ଼ା ୧୦୦ ଟଙ୍କା ଓ ନନ୍‌ଏସି ବସ୍‌ ଭଡ଼ା ୮୦ ଟଙ୍କା ଧାର୍ଯ୍ୟ ହୋଇଛି। ଏହାଠାରୁ କୌଣସି ବସ୍‌ ଅଧିକ ଭଡ଼ା ନେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୃଥକ୍‌ ଭାବେ ଏସ୍‌ଟିଏ କମିଶନର, ଆର୍‌ଟିଓ ବୈଠକରେ ବସ୍‌ ମାଲିକଙ୍କୁ ସଂଘ ମାଧ୍ୟମରେ ଅବଗତ କରାଯାଇଛି। ନିୟମିତ ବସ୍‌ଗୁଡ଼ିକ ରଥଯାତ୍ରାରେ ୨ ଥର ଯିବେ ଓ ୨ ଥର ଆସିବେ। ଅପରପକ୍ଷରେ ସ୍ବତନ୍ତ୍ର ଭାବେ ପରମିଟ୍‌ ପାଇଥିବା ବସ୍‌ଗୁଡ଼ିକ କଟକରୁ ପୁରୀ ଥରେ ଲେଖାଏ ଯିବାଆସିବା କରିବେ। ତେବେ ଯାତ୍ରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ଆବଶ୍ୟକ ହେଲେ ଅଧିକ ବସ୍‌ ବି ନିୟୋଜିତ କରାଯିବ। ଯାତ୍ରୀଙ୍କ ସୁବିଧା ପାଇଁ ବସ୍‌ ମାଲିକ ସଂଘ ପକ୍ଷରୁ ପାଣି ବୋତଲ ଏବଂ ଓଆର୍‌ଏସ୍‌ ପାଣି ଯୋଗାଇ ଦିଆଯିବ। ଏହାବାଦ୍‌ କଟକ ନେତାଜୀ ବସ୍‌ ଟର୍ମିନାଲରେ ନିରବଚ୍ଛିନ୍ନ ଫିଲ୍‌ଟର ପାଣି ଯୋଗାଣ କରାଯିବ।

Share