ରାଜ୍ୟରେ କାର୍ଯ୍ୟ କରୁଛି ୨୦୦ ଆଇଟି, ଇଲେକ୍ଟ୍ରୋନିକ୍ସ ସଂସ୍ଥା

ଭୁବନେଶ୍ୱର, ୩୦ା୯(ସୁନିତ୍‌ ମିଶ୍ର): ରାଜ୍ୟର ଅଧିକାଂଶ ଆଇଟି କମ୍ପାନୀ ଖୋର୍ଦ୍ଧା ଜିଲାରେ ରହିଛି। ଏହି କମ୍ପାନୀଗୁଡ଼ିକରେ ବର୍ତ୍ତମାନ ପ୍ରାୟ ୩୪ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ୩୦ଟି ଇଲେକ୍ଟ୍ରୋନିକ୍ସ କମ୍ପାନୀ କାର୍ଯ୍ୟ କରୁଛନ୍ତି। ସେହିପରି ୧୭୦ଟି ଆଇଟି ସଂସ୍ଥା କାର୍ଯ୍ୟକ୍ଷମ ଅଛି। ଏଗୁଡ଼ିକ ପ୍ରାୟ ଖୋର୍ଦ୍ଧା ଜିଲାରେ ରହିଛି ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁକ୍ରବାର ସୂଚନା ଦେଇଛନ୍ତି। ବିଧାୟକ ଧ୍ରୁବଚରଣ ସାହୁ ବିଧାନସଭାରେ ପଚାରିଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ବେହେରା ଏହା କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ କାର୍ଯ୍ୟ କରୁଥିବା ୨୦୦ଟି ଇଲେକ୍ଟୋନିକ୍ସ ଏବଂ ଆଇଟି କମ୍ପାନୀ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ୬,୧୦୦ କୋଟି ଟଙ୍କାର ରପ୍ତାନି କରିଥିଲେ। ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ଏହି ସଂସ୍ଥାଗୁଡ଼କ ୭୦୦୦ କୋଟି ଟଙ୍କାର ରପ୍ତାନି କରିବେ ବୋଲି ଆଶା ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ବିରୋଧୀ ଭାଜପା ଓ କଂଗ୍ରେସ ମନ୍ତ୍ରୀଙ୍କ ଏଭଳି ଉତ୍ତର ପରେ ପାଲଟା ଜବାବ ରଖି ଏହାର ତଦନ୍ତ ହେବା ଦରକାର ବୋଲି ଦାବି କରିଛନ୍ତି। ଜଣେ ବିଧାୟକ ଯେତେବେଳେ ଜିଲାଓ୍ବାରି ତଥ୍ୟ ମାଗୁଛନ୍ତି ଏହି ଦିଗ ପ୍ରତି ଅଣଦେଖା କରାଯାଉଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଇଲେକ୍ଟ୍ରୋନିକ୍ସ ଓ ଆଇଟି କମ୍ପାନୀ ଯେତିକି ରପ୍ତାନି ରାଜ୍ୟରେ କରୁଥିବା କଥା ଏମାନେ ଦେଖାଉଛନ୍ତି ତାହା କେବଳ ସବ୍‌ସିଡି ନେବା ଲାଗି ଉଦ୍ଦିଷ୍ଟ। ବାସ୍ତବରେ ଏତେ ରପ୍ତାନି ରାଜ୍ୟରେ ସେମାନେ କରୁନାହାନ୍ତି। ଅନ୍ୟପଟେ ୩୪ ହଜାର କର୍ମଚାରୀଙ୍କୁ ଆଇଟି ସଂସ୍ଥାରେ ନିଯୁକ୍ତି ଦେଇଥିବା ନେଇ ଦର୍ଶାଇବା ହାସ୍ୟାସ୍ପଦ କଥା। ଏହାର ୧୦ ପ୍ରତିଶତ ନିଯୁକ୍ତି ପାଇଥିଲେ ବହୁତ କଥା। ମନ୍ତ୍ରୀ ଏହି ପ୍ରଶ୍ନରେ ମନଇଚ୍ଛା ଉତ୍ତର ରଖିଛନ୍ତି। ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ବୋଲି ସାଲୁଜା କହିଛନ୍ତି।
ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟର ବଡ଼ ଆଇଟି କମ୍ପାନୀର ସଫଳତା ଏବଂ ରପ୍ତାନିକୁ ନେଇ ସରକାର ବହୁ କଥାରୁ ଖସିଯିବାକୁ ବସିଛନ୍ତି। ସରକାର କେତେ ସ୍ଥାନୀୟ ଆଇଟି ସଂସ୍ଥାକୁ ପ୍ରୋତ୍ସାହନ ଦେଇଛନ୍ତି ସେକଥା କହୁନାହାନ୍ତି। ସରକାର ଆଇଟି ପଲିସି ବିଷୟରେ ବ୍ୟାପକ ପ୍ରଚାର କଲେ, ହେଲେ ସେକଥା ମଧ୍ୟ ଧୂଅଁାବାଣ ପାଲଟିଛି। ୩୪ ହଜାର କର୍ମଚାରୀ କାର୍ଯ୍ୟ କରୁଥିବା ନେଇ ମନ୍ତ୍ରୀ ଉତ୍ତର ରଖିଛନ୍ତି। ହେଲେ ସେହି କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ହାତଗଣତି ବଡ଼ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି। ନ ହେଲେ ଓଡ଼ିଶାର ଆଇଟି ସେକ୍ଟରରେ କାର୍ଯ୍ୟ କରିବାକୁ ଚାହୁଁଥିବା ପିଲାମାନେ ବାହାର ରାଜ୍ୟକୁ କାହିଁକି ଯାଉଛନ୍ତି। ରାଜ୍ୟରେ ବହୁ ଆଇଟି କମ୍ପାନୀର ହିସାବ ସରକାର ଦେଉଛନ୍ତି ଯେଉଁଗୁଡିକ ମଧ୍ୟରୁ ଅଧିକାଂଶ ସଂସ୍ଥା ଡାଟା ଏଣ୍ଟ୍ରି ଆଦି ଛୋଟ ସଂସ୍ଥା କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ବୋଲି ପୃଥୀରାଜ କହିଛନ୍ତି।

Share