Categories: ଫୁରସତ

୨୦୦ କିଗ୍ରାର କେକ୍‌ ପ୍ୟାଲେସ

ମହାରାଷ୍ଟ୍ର: ବିଭିନ୍ନ ସ୍ଥାନରେ ଅନେକ ପ୍ୟାଲେସ ରହିଛି, ଯାହା କି ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ। ଯେପରିକି ଆଗ୍ରାରେ ଅବସ୍ଥିତ ତାଜମହଲ। ହେଲେ ପ୍ୟାଲେସ ଯାହାକି କେକ୍‌ରେ ପ୍ରସ୍ତୁତ, ତାହା କେବେ ଦେଖିଛନ୍ତି କି? ନିକଟରେ ଜଣେ କେକ୍‌ ଆର୍ଟିଷ୍ଟ ଏପରି ଏକ ରାଜକୀୟ ପ୍ୟାଲେସ ପ୍ରସ୍ତୁତ କରି ୱାଲର୍‌ଡ ରେକର୍ଡ କରିଛନ୍ତି। ରିପୋର୍ଟ ମୁତାବକ, ପୁଣେର ୩୭ ବର୍ଷୀୟା ପ୍ରାଚୀ ଧବଲ ଦେବ ଜଣେ କେକ୍‌ ଆର୍ଟିଷ୍ଟ ଭାବେ ଏହି ପ୍ୟାଲେସ୍‌କୁ ପ୍ରସ୍ତୁତ କରିଛନ୍ତି। ଏହାର ଲମ୍ବ ୧୦ ଫୁଟ ୧ ଇଞ୍ଚ ହୋଇଥିବାବେଳେ ଉଚ୍ଚତା ୪ ଫୁଟ ୭ ଇଞ୍ଚ ଏବଂ ମୋଟେଇ ୩ ଫୁଟ ୮ ଇଞ୍ଚ। ଉକ୍ତ କେକ୍‌ର ଓଜନ ୨୦୦ କିଗ୍ରା। ଏହା ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଏବଂ ସ୍ବାଦିଷ୍ଠ। ବଡ଼ ନିରାମିଷ କେକ୍‌ରେ ପ୍ୟାଲେସ ପ୍ରସ୍ତୁତ କରିଥିବା ନେଇ ପ୍ରାଚୀଙ୍କ ଏହା ୩ୟ ୱାଲର୍‌ଡ ରେକର୍ଡ। ଏଥିରେ ସେ ଅନେକ ଭାରତୀୟ ସ୍ଥାପତ୍ୟକୁ ତାଙ୍କର ଏହି କେକ୍‌ରେ ସ୍ଥାନ ଦେଇଛନ୍ତି, ଯାହାର ରଙ୍ଗ ରହିଛି ସମ୍ପୂର୍ଣ୍ଣ ଧଳା। ସେ ଏହାକୁ ଭାରତର ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ କୀର୍ତ୍ତିରାଜିରୁ ଅନୁପ୍ରାଣିତ ହୋଇ ଏହି କେକ୍‌ ପ୍ୟାଲେସ ପ୍ରସ୍ତୁତ କରିଥିବା କହିଛନ୍ତି। ତାଙ୍କୁ ଏହି କେକ୍‌ ପ୍ୟାଲେସ ପାଇଁ ୩ ସପ୍ତାହ ସମୟ ଲାଗିଥିଲା। କିନ୍ତୁ ଏହା କୌଣସି ପ୍ୟାଲେସର ଅବିକଳ ନୁହେଁ। ସେ ୨୦୨୨ରେ କରିଥିବା ନିଜ ରେକର୍ଡକୁ ବର୍ତ୍ତମାନ ଭାଙ୍ଗିଛନ୍ତି। ସେତେବେଳେ ସେ ୧୦୦ କିଗ୍ରାର ଏକ କେକ୍‌ ପ୍ୟାଲେସ ପ୍ରସ୍ତୁତ କରିଥିଲେ। ପ୍ରାଚୀ ସବୁବେଳେ ତାଙ୍କ କେକ୍‌ ସାହାଯ୍ୟରେ କିଛି ନୂଆ କରିବାକୁ ପ୍ରୟାସ କରିଥା’ନ୍ତି। ପ୍ରଥମ ପ୍ରୟାସରେ ସେ ୩ ଇଞ୍ଚ ଲମ୍ବର ଏକ ପ୍ୟାଲେସ ପ୍ରସ୍ତୁତ କରିଥିଲେ।

Share