Categories: ଜାତୀୟ

ଏଲ୍‌ଓସି ନିକଟ ଲଞ୍ଚପ୍ୟାଡ୍‌ରେ ୨୦୦ ଆତଙ୍କବାଦୀ ଅନୁପ୍ରବେଶ ସୁଯୋଗ ଅପେକ୍ଷାରେ…

ନୂଆଦିଲ୍ଲୀ, ୭।୫ : ପାକିସ୍ତାନରେ ସରକାରା ପରିବର୍ତ୍ତନ ସତ୍ତ୍ୱେ ଏହାର ଭାରତ ବିରୋଧୀ ମନୋବୃତ୍ତିରେ ସାମାନ୍ୟ ପରିବର୍ତ୍ତନ ହୋଇନାହିଁ। ଯଦିଓ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବଂ ନୂଆ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ନିଜ ନିଜ ମନ୍ତବ୍ୟ ମାଧ୍ୟମରେ ଭାରତ ସହିତ ରହିଥିବା ସମସ୍ତ ବିବାଦୀୟ ସମସ୍ୟାର ସମାଧାନ କରିବାକୁ କହିଛନ୍ତି।

ମାତ୍ର ଅପରପକ୍ଷରେ ପାକିସ୍ତାନ ଜମ୍ମୁ-କଶ୍ମୀର ଏବଂ ପଞ୍ଜାବରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି। ଉତ୍ତର ସେନା କମାଣ୍ଡର ଲ୍ୟୁଟନାଟ୍‌ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହା କହିଛନ୍ତି। ସେ ସୂଚନା ପ୍ରଦାନ କରିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ପାଇଁ ୨୦୦ ଆତଙ୍କବାଦୀ ଏଲ୍‌ଓସି ନିକଟରେ ଥିବା ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟର ଲଞ୍ଚ ପ୍ୟାଡ୍‌ରେ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ଏଠାରେ ପାକିସ୍ତାନ ସହାୟତାରେ ୩୫ଟି ଆତଙ୍କବାଦୀ ଶିବିର ମଧ୍ୟ ସକ୍ରିୟ ରହିଥିବା ସେ କହିଛନ୍ତି।

 

ସେଥିମଧ୍ୟରୁ ୬ ଟି ପ୍ରମୁଖ ଆତଙ୍କବାଦୀ ଶିବିର ହୋଇଥିବାବେଳେ ୨୯ ଟି ଛୋଟ ଶିବିର ରହିଛି। ଏହା ସହିତ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ବହୁ ଅସ୍ଥାୟୀ ଲଞ୍ଚପ୍ୟାଡ ମଧ୍ୟ ରହିଛି। ପାକିସ୍ତାନୀ ସେନା ଏବଂ ଅନ୍ୟ ଗୁପ୍ତଚର ସଂସ୍ଥାଗୁଡ଼ିକର ସହଭାଗୀତାରେ ଏଗୁଡିକ ପରିଚାଳିତ ହେଉଛି।

ଦ୍ୱିବେଦୀ କହିଛନ୍ତି ଯେ ଫେବୃଆରୀ ୨୯୨୧ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ଜାରି ରହିଛି। ଗତ ଏକ ବର୍ଷ ମଧ୍ୟରେ, ଅଳ୍ପ କିଛି ମାମଲାକୁ ଛାଡ଼ିଦେଲେ ଉଭୟ ପକ୍ଷ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ନାହିଁ। ଭାରତୀୟ ସେନା ସମସ୍ତ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।

Share