ଲକ୍ଷ୍ନୌ,୨୪।୫: ଉତ୍ତରପ୍ରଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଗ୍ରାମାଞ୍ଚଳରେ ଟିକା ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସ୍ଥାନୀୟ ବାରାବାଙ୍କିର ସିସୋଦା ଗାଁରେ ଟିକାଦେବାକୁ ଆସିଥିବା ମେଡ଼ିକାଲ ଟିମ୍ଙ୍କୁ ଦେଖି ୨୦୦ ଗ୍ରାମବାସୀ ଭୟରେ ସରଯୂ ନଦୀକୁ ନେଇଁ ପଡ଼ିଛନ୍ତି। ଏସମ୍ପର୍କରେ ରାମନଗର ତହସିଲ୍ର ସବ୍ ଡିଭିଜିନାଲ ମାଜିଷ୍ଟ୍ରେଟ୍ ରାଜୀବ କୁମାର ଶୁକ୍ଳା ସୂଚନା ଦେଇଛନ୍ତି। ଟିକାନେବା ପରେ ଲୋକେ ମରି ଯାଉଥିବା ଗୁଜବ ଗାଁରେ ପ୍ରଚାର ହୋଇଛି। ଏହା ସହିତ ଟିକାନେଲେ ପୁରୁଷ ନପୁଂସକ ହୋଇଯାଉଥିବା ଗାଁ ଲୋକେ କହୁଛନ୍ତି। ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ସଚେତନ କରାଯିବାର ଉଦ୍ୟମ କରାଯାଉଛି। ଇତିମଧ୍ୟରେ ଗାଁର ୧୫,୦୦ ଲୋକଙ୍କ ମଧ୍ୟରୁ ମାତ୍ର ୧୮ ଜଣ ଲୋକଙ୍କୁ ଟିକା ଦିଆଯାଇଛି। ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କୋକୁଆ ଭୟ ଯୋଗୁ ଟିକାକରଣ ଅଭିଯାନ ଆଗେଇ ପାରୁ ନ ଥିବା ରାଜୀବ ଶୁକ୍ଳା କହିଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ଟିକାକରଣ ଅଭିଯାନକୁ ସଫଳ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ‘ମେରା ଗାଁ-କରୋନା ମୁକ୍ତ ଗାଁ’ ଅଭିଯାନ ସମ୍ପର୍କରେ ଘୋଷଣା କରିଛନ୍ତି।