Categories: ଜାତୀୟ

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ୨୦୦ ଭିଭିଆଇପି

ଲକ୍ଷ୍ନୌ,୧୮।୩: ଉତ୍ତରପ୍ରଦେଶ ବିଧାନସଭାରେ ଭାଜପାର ବିପୁଳ ବିଜୟ ପରେ ଯୋଗୀ ଆଦିତ୍ୟ ନାଥଙ୍କ ଶପଥ ଗ୍ରହଣ ଉତ୍ସବ ପ୍ରସ୍ତୁତି ଜୋରଦାର ଚାଲିଛି। ଲକ୍ଷ୍ନୌ ସ୍ଥିତ ଏକନା ଷ୍ଟାଡିୟମରେ ମାର୍ଚ୍ଚ ୨୧ରେ ଯୋଗୀ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୪ହଜାର ୫ଶହ ଲୋକଙ୍କ ଉପସ୍ଥିତି ରହିବା ନେଇ ଯୋଜନା କରାଯାଉଛି। ଏପରି କି ରାଜ୍ୟ ସରକାରୀ ଯୋଜନାରେ ଉପକୃତ ହିତାଧିକାରୀଙ୍କୁ ମଧ୍ୟ ଉତ୍ସବରେ ନିମନ୍ତ୍ରଣ କରାଯିବ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଉତ୍ସବରେ ଯୋଗଦେବା ନେଇ ୨୦୦ ଭିଭିଆଇପି ଅତିଥିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ସବକୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସୋନିଆ ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ମୁଲାୟମ ସିଂହ ଯାଦବ ଓ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ଜଣାପଡିଛି। ଏଥି ସହ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉତ୍ସବରେ ଯୋଗ ଦେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ବିଧାନସଭା ନର୍ବାଚନରେ ଭାଜପା ୨୫୫ ଆସନ ପାଇଥିବା ବେଳେ ସହଯୋଗୀ ଅପନା ଦଳ ଏବଂ ନିଷାଦ ପାର୍ଟି ଯଥାକ୍ରମେ ୧୨ ଓ ୬ଟି ଆସନ ପାଇଥିଲା। ସମାଜବାଦୀ ପାର୍ଟି ୧୧୧ଟି ଆସନ ପାଇଥିବା ବେଳେ ତାଙ୍କ ସହଯୋଗୀ ରାଷ୍ଟ୍ରୀୟ ଲୋକଦଳ ୮ ଓ ଅନ୍ୟତମ ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟି ୬ଟି ଆସନ ଜିତିଥିଲା। କଂଗ୍ରେସ ୨ଟି ଆସନ ପାଇଥିବା ବେଳେ ବିଏସ୍‌ ଗୋଟିଏ ଓ ଅନ୍ୟାନ୍ୟ ୨ଟି ଆସନରେ ବିଜୟୀ ହୋଇଥିଲେ।

Share