Advertisement

ନିଯୁକ୍ତି ପାଇ ତାମିଲନାଡୁ ଗଲେ କଳାହାଣ୍ଡିର ୨୦୦ ଯୁବତୀ

ଭବାନୀପାଟଣା,୧୯ା୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ଗତ ୨୪.୯.୨୦୨୨ରେ ନିଯୁକ୍ତି ପାଇଥିବା ଜିଲାର ୨୨୦ ଜଣ ଯୁବତୀ ବୁଧବାର ତାମିଲନାଡୁ ଜିଲାର ହୋସୁର ସହରକୁ ଗସ୍ତ କରିଛନ୍ତି।

କଳାହାଣ୍ଡି ଜିଲାପାଳ ପି .ଅନ୍ବେଷା ରେଡ୍ଡୀ ଉପସ୍ଥିତ ରହି ଯୁବତୀମାନଙ୍କୁ ନେଇ ଯାଉଥିବା ୫ଟି ବସ୍‌କୁ ପତାକା ଦେଖାଇ ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟ ସରକାର ସହଯୋଗ ତଥା ଜିଲା ପ୍ରଶାସନ ଉଦ୍ୟମରେ ପ୍ରଥମ କରି ଏତେ ସଂଖ୍ୟକ ଯୁବତୀ ନିଯୁକ୍ତି ପାଇବା ଆମ ପାଇଁ ଖୁସି ଖବର। ଜିଲାର ବିଭିନ୍ନ ବ୍ଲକରୁ ବିଡିଓଙ୍କ ତତ୍ତ୍ୱାବଧାନରେ ଯୁବତୀମାନେ ଆଇଟିଆଇରେ ପହଞ୍ଚିଥିଲେ। ବସ୍‌ରେ ଛାତ୍ରୀମାନେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ସେଠାରୁ ବାଙ୍ଗାଲୋର ଯାଇ ହୋସୁର ପହଞ୍ଚିବେ। ଯୁବତୀମାନଙ୍କ ରହିବା,ଖାଇବା ଓ ଅନ୍ୟାନ୍ୟ ସୁବିଧା କରିବା ପାଇଁ ଜିଲା ନିୟୋଜନ ସଂସ୍ଥାରୁ କର୍ମନିଯୁକ୍ତି ଅଧିକାରୀ ଅଜିତ କୁମାର ଉତ୍ତରାୟ ତଥା ଅନ୍ୟ କର୍ମଚାରୀ ୨ ଦିନ ହୋସୁରରେ ଅବସ୍ଥାନ କରିବେ। ଲାଞ୍ଜିଗଡ଼ ତଥା ଅନ୍ୟାନ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଅନେକ ଆଦିବାସୀ ଯୁବତୀ ନିଜର ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ହୋସୁର ଯାଉଛନ୍ତି। ଏହି ଗସ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଡି ପି ଏମ, ଓଏଲ୍‌ଏମ୍‌ ପ୍ରଶାନ୍ତ ମିଶ୍ର, ଏ ପିଡି ବିମ୍ବାଧର ସାହୁଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share