ଲୋକଙ୍କ ଖାଦ୍ୟ ପାଇଁ ମରାଯିବ ୨୦୦ ହାତୀ

ହରାରେ, ୧୮।୯:ଏଲ୍‌ନିନୋ ପ୍ରଭାବରେ ଜିମ୍ବାଓ୍ବେ ଓ ଅନ୍ୟ ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକରେ ୪ ଦଶନ୍ଧି ମଧ୍ୟରେ ସବୁଠୁ ଉତ୍କଟ ମରୁଡ଼ି ସ୍ଥିତି ଦେଖାଦେଇଛି। ଏହାର ପ୍ରଭାବରେ ବହୁ ଫସଲ ନଷ୍ଟ ହେବା ସହ ୬.୮ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଜିମ୍ବାଓ୍ବେରେ ମରୁଡ଼ି ଯୋଗୁ ଖାଦ୍ୟ ଅଭାବ ଦେଖାଦେଇଛି। ତେଣୁ ଲୋକଙ୍କ ଭୋକ ମେଣ୍ଟାଇବା ପାଇଁ ଜିମ୍ବାଓ୍ବେ ସରକାର ୨୦୦ ହାତୀଙ୍କୁ ମାରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଜିମ୍ବାଓ୍ବେ ବନ୍ୟପ୍ରାଣୀ ପ୍ରାଧିକରଣ ମୁଖପାତ୍ର ତିନଶେ ଫରାଓ୍ବ ଏନେଇ ସୂଚନା ଦେଇ କହିଛନ୍ତି, ମରୁଡ଼ି ଯୋଗୁ ଦେଶରେ ସମ୍ବଳର ମାତ୍ରା କମିଛି। ତେଣୁ କେତେକ ଅଞ୍ଚଳରେ ଲୋକେ ୨ ଓଳି ମଧ୍ୟ ଖାଇବାକୁ ପାଉନାହାନ୍ତି। ତେଣୁ ସରକାର ଦେଶବ୍ୟାପୀ ୨୦୦ ହାତୀ ମାରିବାକୁ ଯୋଜନା କରିଛନ୍ତି। ମରୁଡ଼ି କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକମାନଙ୍କ ଭୋକ ମେଣ୍ଟାଇବାକୁ ହାତୀ ମାଂସ ପ୍ରଦାନ କରାଯିବ। ତେବେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କିପରି ପୂରଣ କରାଯିବ, ସେନେଇ ଆଲୋଚନା ଚାଲିଛି ବୋଲି ଫରାଓ୍ବ କହିଛନ୍ତି। ଜିମ୍ବାଓ୍ବେରେ ଥିବା ବିଭିନ୍ନ ବନ୍ୟପ୍ରାଣୀ ସଂରକ୍ଷଣ ଓ ଜାତୀୟ ଉଦ୍ୟାନଗୁଡ଼ିକରେ ବହୁ ସଂଖ୍ୟାରେ ହାତୀ ରହୁଛନ୍ତି। ମରୁଡ଼ି ଯୋଗୁ ଦେଶର ସମ୍ଭଳରେ ଅଭାବ ଦେଖାଦେଇଥିବାରୁ ମାନବ-ବନ୍ୟଜନ୍ତୁ ସଂଘର୍ଷ ବୃଦ୍ଧି ପାଇଥିବା ନେଇ ଫରାଓ୍ବ ସ୍ବୀକାର କରିଛନ୍ତି। ଗତ ମାସରେ ପଡ଼ୋଶୀ ନାମିବ୍ୟାରେ ମଧ୍ୟ ମରୁଡ଼ି ପ୍ରଭାବିତ ଲୋକଙ୍କର କ୍ଷୁଧା ମେଣ୍ଟାଇବା ପାଇଁ ୮୩ଟି ହାତୀଙ୍କୁ ହତ୍ୟା କରାଯାଇଥିଲା। ଅନୁରୂପ ଭାବେ ଜିମ୍ବାଓ୍ବେରେ ୨୦୦ ହାତୀଙ୍କୁ ହତ୍ୟା କରାଯିବ ବୋଲି ସେ କହିଛନ୍ତି। ଜିମ୍ବାଓ୍ବେରେ ମୋଟ ୮୪ ହଜାର ହାତୀ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୨୦୦ ହାତୀଙ୍କୁ ମରାଯିବ। ଏହା ସମୁଦ୍ରକୁ ଶଙ୍ଖେ ପରି। ତେଣୁ ଏତେ କମ୍‌ ସଂଖ୍ୟକ ହାତୀମୃତ୍ୟୁରେ ଖାଦ୍ୟ ଶୃଙ୍ଖଳ ପ୍ରଭାବିତ ହେବ ନାହିଁ ବୋଲି ଫରାଓ୍ବ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ପରିବେଶ ଓ ଜଳବାୟୁ ମନ୍ତ୍ରୀ ନକୋବିଜିଥା ମଙ୍ଗାଲିସୋ ଏଣ୍ଡଲୋବୁ ଗତ ସପ୍ତାହରେ କହିଥିଲେ, ଦେଶରେ ହାତୀସଂଖ୍ୟା ଆବଶ୍ୟକତାଠାରୁ ଅଧିକ ରହିଛି। ଜିମ୍ବାଓ୍ବେରେ ଥିବା ସମସ୍ତ ବନ୍ୟପ୍ରାଣୀ ସଂରକ୍ଷଣ ଓ ଜାତୀୟ ଉଦ୍ୟାନଗୁଡ଼ିକରେ ୫୫ ହଜାର ହାତୀ ରହିବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ସମ୍ପ୍ରତି ଏଠାରେ ୮୪ ହଜାର ହାତୀ ବସବାସ କରୁଛନ୍ତି। ଭୟଙ୍କର ମରୁଡ଼ି ଯୋଗୁ ଫସଲ ନଷ୍ଟ ହୋଇଛି ଏବଂ ଦେଶର ସଂଶାଧନ କମିଛି। ତେଣୁ ଜିମ୍ବାଓ୍ବେରେ ହାତୀମାନଙ୍କୁ ବଞ୍ଚିବା ପାଇଁ ଦରକାରଠାରୁ କମ୍‌ ଆହାର ମିଳୁଥିବା ସେ କହିଥିଲେ। ସୂଚନାଯୋଗ୍ୟ, ୫ ଦକ୍ଷିଣ ଆଫ୍ରିକୀୟ ଦେଶ ଜିମ୍ବାଓ୍ବେ, ନାମିବ୍ୟା, ବୋତ୍‌ସ୍ବାନା, ଜାମ୍ବିଆ ଏବଂ ଆଙ୍ଗୋଲାର ବନ୍ୟଜନ୍ତୁ ସଂରକ୍ଷଣ ଅଞ୍ଚଳଗୁଡ଼ିକରେ ୨ ଲକ୍ଷରୁ ଅଧିକ ହାତୀ ବସବାସ କରୁଛନ୍ତି। ଉକ୍ତ ଅଞ୍ଚଳ ସମଗ୍ର ବିଶ୍ୱରେ ସର୍ବାଧିକ ହାତୀ ରହୁଥିବା ଅଞ୍ଚଳ ଭାବେ ପରିଗଣିତ ହୋଇଛି। ବିଶ୍ୱର ସର୍ବାଧିକ ହାତୀ ବୋତ୍‌ସ୍ବାନାରେ ଥିବାବେଳେ ଏହି ତାଲିକାରେ ଜିମ୍ବାଓ୍ବେ ଦ୍ୱିତୀୟ ସ୍ଥାନରେ ରହିଛି। ଜିମ୍ବାଓ୍ବେ ନିଜର ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସ ଏବଂ ହାତୀଙ୍କର ବଢ଼ୁଥିବା ଜନସଂଖ୍ୟା ଯୋଗୁ ମିଳିତ ଜାତିସଂଘ ପକ୍ଷରୁ ବହୁବାର ପ୍ରଶଂସିତ ହୋଇଛି।

Share