ଜୋହାନ୍ସବର୍ଗ,୨୫।୪: ଦକ୍ଷିଣ ଆଫ୍ରିକାରେ ଥିବା ବିଶ୍ୱର ସବୁଠୁ ବଡ଼ ଗଣ୍ଡା ଫାର୍ମ ନିଲାମ ହେବାକୁ ଯାଉଛି। ପାଖାପାଖି ୨୦୦୦ ଗଣ୍ଡା ଏଠାରେ ବାସ କରୁଛନ୍ତି। ଫାର୍ମର ମାଲିକ ପ୍ରାଣୀ ସଂରକ୍ଷକ ଜନ୍ ହୁମେ ପ୍ରାଣୀଙ୍କ ଜୀବନ ରକ୍ଷା ଉଦ୍ଦେଶ୍ୟରେ ନିଜର ସଞ୍ଚିତ ଅର୍ଥ ଖର୍ଚ୍ଚ କରିବା ପରେ ସେ ଏବେ ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି। ବର୍ତ୍ତମାନ ତାଙ୍କ ପାଖରେ ୨୦୦୦ ଗଣ୍ଡା ଓ ୮,୦୦୦ ହେକ୍ଟର (ପାଖାପାଖି ୨୦,୦୦୦ ଏକର) ଜମିଛଡ଼ା ଆଉ କିଛି ନ ଥିବା ହୁମେ କହିଛନ୍ତି। ବିଶ୍ୱରେ ବାସ କରୁଥିବା ମୋଟ ଗଣ୍ଡାର ୮୦% କେବଳ ଦକ୍ଷିଣ ଆଫ୍ରିକାରେ ଦେଖାଯାଆନ୍ତି। ଏଠାରୁ ଅନେକ ଏସୀୟ ଦେଶ ଗଣ୍ଡା କିଣିଥାଆନ୍ତି।
ଦକ୍ଷିଣ ଆଫ୍ରିକାରେ ଗତବର୍ଷ ପାଖାପାଖି ୪୪୮ ପ୍ରକାର ବିରଳ ପଶୁଙ୍କ ପ୍ରାଣହାନି ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବଜାରରେ ଗଣ୍ଡା ଶିଂଘର ଖୁବ୍ ଚାହିଦା, ଯେଉଁଥିପାଇଁ ଶିକାରୀମାନେ ଗଣ୍ଡା ଫାର୍ମ ଗୁଡ଼ିକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି। ଶିକାର ରୋକିବା ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ଏହା ସେତେ ପ୍ରଭାବୀ ନୁହେଁ। ୩୦ ବର୍ଷ ଧରି ହୁମେ ଗଣ୍ଡା ଫାର୍ମର ଦେଖାଶୁଣା କରି ଆସୁଛନ୍ତି। କିନ୍ତୁ ଅର୍ଥ ଅଭାବ ଯୋଗୁ ସେ ଏବେ ଫାର୍ମକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବୁଧବାର ଅନ୍ଲାଇନ୍ରେ ଫାର୍ମ ନିଲାମ ଡକାଯିବ। ଅନ୍ୟପକ୍ଷେ ଇଣ୍ଟରନ୍ୟାଶନାଲ ୟୁନିୟନ୍ ଫର୍ କନ୍ଜରଭେଶନ୍ ଅଫ୍ ନେଚର (ଆଇୟୁସିଏନ୍) ଧଳା ଗଣ୍ଡାଙ୍କୁ ରେଡ୍ ଲିଷ୍ଟେଡ୍ କରିଛି। ଏହି ବିଲୁପ୍ତ ପ୍ରାୟ ଜୀବଙ୍କ ସଂଖ୍ୟା ଗତ ୧୦ ବର୍ଷ ମଧ୍ୟରେ ୧୮,୦୦୦ରେ ପହଞ୍ଚିଛି।