Categories: ଜାତୀୟ

୨ହଜାର ଟଙ୍କିଆ ନୋଟ୍‌ ବ୍ୟାନ୍‌: ବିମୁଦ୍ରୀକରଣର ଭୂତ ପୁଣିଥରେ ଆସିଛି, ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୧୯।୫: ଭାରତୀୟ ରିଜର୍ଭ ବ୍ୟାଙ୍କ ୨ହଜାର ଟଙ୍କିଆ ନୋଟ୍‌ ପ୍ରଚଳନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ନୋଟ୍‌ଗୁଡିକର ବୈଧତା ସେପ୍ଟେମ୍ବର ୩୦ଯାଏଁ ରହିବ। ଆରବିଆଇର ଏହି ନିଷ୍ପତ୍ତରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ, ଆମର ଆତ୍ମ ଘୋଷିତ ବିଶ୍ୱଗୁରୁ ପ୍ରଥମେ କରନ୍ତି, ତା’ପରେ ଭାବନ୍ତି। ୮ ନଭେମ୍ବର ୨୦୧୬ରେ ଧୁମ୍‌ଧାମ୍‌ରେ ଲଞ୍ଚ କରାଯାଇଥିବା ୨ହଜାର ଟଙ୍କିଆ ନୋଟ୍‌କୁ ବର୍ତ୍ତମାନ ଫେରାଇ ନିଆଯାଉଛି।

ସେହିପରି କଂଗ୍ରେସ ନେତା ପଓ୍ବନ ଖେଡା କହିଛନ୍ତି ଯେ, ୮ ନଭେମ୍ବର ୨୦୧୬ର ଭୂତ ପୁଣି ଥରେ ଦେଶକୁ ହଇରାଣ କରିବାକୁ ଆସିଛି। ବିମୁଦ୍ରୀକରଣର ଏହି ବହୁ ପ୍ରଚାରିତ ପଦକ୍ଷେପ ଦେଶ ପାଇଁ ଏକ ବଡ଼ ବିପଦ ପାଲଟିଛି। ପ୍ରଧାନମନ୍ତ୍ରୀ ମୋଦି ନୂଆ ୨ହଜାର ଟଙ୍କିଆ ନୋଟ୍‌ର ଲାଭ ବିଷୟରେ ଦେଶକୁ ଉପଦେଶ ଦେଇଥିଲେ, ଆଜି ଯେତେବେଳେ ଟଙ୍କା ଛାପିବା ବନ୍ଦ ହୋଇଗଲା, ତା’ହେଲେ ସେହି ସବୁ ପ୍ରତିଶ୍ରୁତିର କ’ଣ ହେଲା?

ଏଭଳି ପଦକ୍ଷେପ ପଛରେ ସରକାରଙ୍କର କଣ ଉଦ୍ଦେଶ୍ୟ ରହିଛି ତହା ଜଣାଇବା ଦରକାର। ସରକାର ତାଙ୍କ ଜନ ବିରୋଧୀ ତଥା ଗରିବ ବିରୋଧୀ ଏଜେଣ୍ଡା ଜାରି ରଖିଛନ୍ତି। ଆଶା କରାଯାଉଛି ଯେ, ଗଣମାଧ୍ୟମ ସରକାରଙ୍କୁ ଏଭଳି କଠୋର ପଦକ୍ଷେପ ଉପରେ ପ୍ରଶ୍ନ କରିବ ବୋଲି ସେ କହିଛନ୍ତି।

ଏଏପି ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ, ୨୦୧୬ରେ ବିମୁଦ୍ରୀକରଣ ପରେ ଲୋକମାନେ ରୋଜଗାର ହରାଇଲେ, ବହୁ ଜୀବନ ଗଲା ଏବଂ ଅର୍ଥନୀତି କ୍ଷତିଗ୍ରସ୍ତ ହେଲା। ୨୦୧୬ରେ ସରକାର ଦାବି କରିଥିଲେ ଯେ, କଳା ଟଙ୍କା ଏବଂ ଦୁର୍ନୀତି ଶେଷ ହେବ କିନ୍ତୁ ତାହା ହୋଇପାରିଲା ନାହିଁ। ମୁଁ ଆଶା କରୁଛି ଏଥର ବିଶେଷଜ୍ଞଙ୍କ ମତରେ ଏହି ନିଷ୍ପତ୍ତି ନିଆଯାଇଛି।

 

Share