ମାଲକାନଗିରି,୧୯ା୬(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ପୋଲିସ ଗତ ୨୫ ଦିନ ମଧ୍ୟରେ ୧୮ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି।
ତଥ୍ୟ ଅନୁଯାୟୀ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ସଦର ଜିଲାରେ ବିଜାପୁର ପୋଲିସ ଜଣେ ଯୁବକଙ୍କୁ ଟ୍ରାକ୍ଟର ଶୋ’ ରୁମ୍ରେ ଗିରଫ କରି ତାଙ୍କଠାରୁ ୧୦ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ଜବତ କରିଛି। ଏଥିସହ କିଛି ମାଓବାଦୀ ଲିଫଲେଟ ମଧ୍ୟ ଜବତ କରିଥିଲା। ଜଣେ ମାଓବାଦୀ ସମର୍ଥକ ବିଜାପୁର ଟ୍ରାକ୍ଟର ଶୋ’ ରୁମ୍କୁ ଟ୍ରାକ୍ଟର କିଣିବା ପାଇଁ ଆସୁଥିବା ସୂଚନା ପାଇ ପୋଲିସ ଉକ୍ତ ଶୋ’ ରୁମ୍ରେ ଚଢ଼ାଉ କରିଥିଲା। ସେହି ସମୟରେ ବିଜାପୁର ଜିଲା ଗାଙ୍ଗାଲୁର ଥାନା ପାଲନାର ଗ୍ରାମର ଦିନେଶ ତାତି ନାମକ ଜଣେ ମାଓବାଦୀ ସମର୍ଥକ ପୋଲିସକୁ ଦେଖି ସେଠାରୁ ଫେରାର ହେବାକୁ ଚେଷ୍ଟା କରିଥିଲେ। ପୋଲିସ କଳେବଳେ କୌଶଳେ ଦିନେଶଙ୍କୁ କାବୁ କରି ପଚରାଉଚରା କଲା ପରେ ଜାଣିବାକୁ ପାଇଥିଲା ଯେ, ଏହି ୨ ହଜାର ଟଙ୍କିଆ ନୋଟ୍ ପାଲନାର ଜନତାନା ସରକାର, ଅଧ୍ୟକ୍ଷ ମୁନା ହେମଲା ୬ ଲକ୍ଷ, ଗାଙ୍ଗାଲୁର ଏରିଆ କମିଟି ଇିନଚାର୍ଜ ଦିନେଶ ମୋଡିୟମ ୨ଲକ୍ଷ ଓ ଗାଙ୍ଗାଲୁର ଏରିଆ ମିସିଲିଆ କମାଣ୍ଡର ପାଣ୍ଡ୍ରୁପୋଟାମ ୨ ଲକ୍ଷ ଟଙ୍କା ଦିନେଶଙ୍କୁ ଦେଇଥିଲେ। ସେ ଉକ୍ତ ଟଙ୍କା ଆଣି ଟ୍ରାକ୍ଟର କିଣିବା ସମୟରେ ପୋଲିସ ହାତରେ ଧରା ପଡ଼ିଥିଲେ। ତେବେ ପୂର୍ବରୁ ପୋଲିସ ଗତ ମେ’ ୨୫ ତାରିଖ ଓ ଗତ ଜୁନ୍ ୧୨ ତାରିଖ ଦିନ ମୋଟ୍ ୫ ଜଣଙ୍କ ଠାରୁ ୮ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ଜବତ କରିଛି।