Categories: ବାଣିଜ୍ୟ

ଫେରିନି ୭୫୮୧ କୋଟିର ୨୦୦୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ବର୍ତ୍ତମାନ ସୁଦ୍ଧା ୨୦୦୦ଟଙ୍କିଆ ନୋଟର ମୋଟ ୯୭.୮୭ ପ୍ରତିଶତ ବ୍ୟାଙ୍କିଙ୍ଗ୍‌ ସିଷ୍ଟମକୁ ଫେରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବିବୃତି ଜାରି କରି କହିଛି ଯେ, ୨୦୨୩ ମସିହା ମେ ୧୯ରେ ଆରବିଆଇ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିବାକୁ ଘୋଷଣା କରାଯାଇଥିଲା। ସେହି ସମୟରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ମୋଟ ୨୦୦୦ ଟଙ୍କିଆ ନୋଟ୍‌ ରହିଥିଲା। ୨୦୨୪ ମେ’ ମାସ ସୁଦ୍ଧା ୭୫୮୧ କୋଟି ଟଙ୍କାକୁ ହ୍ରାସ ପାଇଛି। ଅର୍ଥାତ୍‌ ବ୍ୟାଙ୍କିଙ୍ଗ ସିଷ୍ଟମରେ ୩.୪୮ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୦୦୦ଟଙ୍କିଆ ନୋଟ ଜମା କରାଯାଇଛି। ଏହାର ଅର୍ଥ ହେଉଛି କେବଳ ୨.୧୩ ପ୍ରତିଶତ ନୋଟ ଫେରସ୍ତ ହୋଇନାହିଁ। ଆରବିଆଇ କହିଛି ଯେ, ୨୦୦୦ଟଙ୍କିଆ ନୋଟ ବିନିମୟର ସୁବିଧା ଏହାର ୧୯ଟି ଅଫିସରେ ୨୦୨୩ ମସିହା ମେ’ରୁ ଆରମ୍ଭ ହୋଇଥିଲା। ୨୦୨୩ ଅକ୍ଟୋବର ୭ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କରେ ୨୦୦୦ଟଙ୍କିଆ ନୋଟ ଜମା କିମ୍ବା ବିନିମୟ କରିବାର ସୁବିଧା ଉପଲବ୍ଧ ଥିଲା। ୨୦୨୩ ଅକ୍ଟୋବର ୭ଠାରୁ ଆରବିଆଇ ବ୍ୟକ୍ତି କିମ୍ବା ସଂସ୍ଥାରୁ ୨୦୦୦ଟଙ୍କିଆ ନୋଟ୍‌ ଗ୍ରହଣ କରୁଛନ୍ତି ଏବଂ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଛନ୍ତି। ଆରବିଆଇ କହିଛି ଯେ ଏହା ବ୍ୟତୀତ ସାଧାରଣ ଲୋକମାନେ ମଧ୍ୟ ଡାକ ମାଧ୍ୟମରେ ୨୦୦୦ ଟଙ୍କିଆ ନୋଟ ପଠାଉଛନ୍ତି ଏବଂ ସେମାନଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଛନ୍ତି। ଏହି ସୁବିଧା ପାଇବା ପାଇଁ ଆରବିଆଇ କାର୍ଯ୍ୟାଳୟ ପରିଦର୍ଶନ କରିବାର ଆବଶ୍ୟକତା ନାହିଁ।

Share