କୂଅରୁ ବାହାରୁଛି ୨ ହଜାର ଟଙ୍କିଆ ନୋଟ୍‌, ଟଙ୍କା ନେବା ପାଇଁ ଭିଡ଼…

ଘାଟମପୁର,୧୪।୭: ଟଙ୍କା ପୁଣି କୂଅରୁ ବାହାରୁଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ଉତ୍ତରପ୍ରଦେଶର ଘାଟମପୁର ଅନ୍ତର୍ଗତ ଭିତରଗାଓ୍ବଁ ଅଞ୍ଚଳର ପସେମା ଗାଁରେ ଏକ ପରିତ୍ୟକ୍ତ ଶୁଖିଲା କୂଅରୁ ଶହେ, ଦୁଇ ଶହ, ପାଞ୍ଚ ଶହ ଏବଂ ଦୁଇ ହଜାର ଟଙ୍କଆ ନୋଟ୍‌ ବାହାରୁଛି। ମଙ୍ଗଳବାର କେତେକ ପିଲା ଗାଁ ବାହାରେ ଥିବା ଭଙ୍ଗା କୋଠା ନିକଟରେ ଖେଳୁଥିଲେ। ଏହା ନିକଟରେ ଥିବା ଏକ ପରିତ୍ୟକ୍ତ ଶୁଖିଲା କୂଅ ଭିତରକୁ କିଛି ପିଲା ଚାହିଁ ଥିଲେ। କୂଅ ଭିତରେ ନୋଟ୍‌ ବିଛାଡ଼ି ହୋଇ ପଡ଼ିଥିବା ସେମାନେ ଦେଖ୍ବଥିଲେ। ସେମାନେ ସୂତାରେ ପାଚିଲା ଫଳ ବାନ୍ଧି ଏହା ସାହାଯ୍ୟରେ ନୋଟ୍‌ ବାହାର କରିବା ଆରମ୍ଭ କରିଥିଲେ। ପରେ କୂଅରୁ ଟଙ୍କା ବାହାରୁଥିବା ନେଇ ଗାଁରେ ପ୍ରଚାର ହୋଇଥିଲା। ଫଳରେ ଟଙ୍କା ନେବାକୁ କୂଅ ନିକଟରେ ଭିଡ଼ ଜମିଥିଲା। ଇତିମଧ୍ୟରେ କୂଅରୁ ୮-୯ ହଜାର ଟଙ୍କା ବାହାରିଥିବା ଗାଁ ଲୋକେ କହିଛନ୍ତି। କୂଅ ଭିତରେ ଅନାବନା ଗଛ ଭିତରେ ଟଙ୍କା ସହିତ ଏକ ମୋବାଇଲ୍‌ ମଧ୍ୟ ପଡ଼ିଛି। ଭିତର ଅନ୍ଧାର ଥିବାରୁ ଟର୍ଚ୍ଚ ଆଲୋକ ନେଇ ଲୋକେ ଟଙ୍କା ଆଣିବା ପାଇଁ କୂଅ ପାଖକୁ ଯାଉଛନ୍ତି। ତେବେ କେହି ଭିତରକୁ ପଶିବାକୁ ସାହସ କରି ପାରୁ ନାହାନ୍ତି। ଏନେଇ ସ୍ଥାନୀୟ ଥାନା ଅଧିକାରୀ ସନ୍ତୋଷ ସିଂଙ୍କୁ ପଚାରିବାରୁ ଏସମ୍ପର୍କରେ କୌଣସି ସୂଚନା ତାଙ୍କ ପାଖରେ ନ ଥିବା କହିଛନ୍ତି।

Share