ଭୁବନେଶ୍ୱର,୨୦ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ବେଳକୁ ବେଳ ମହାବିପଦର ସଙ୍କେତ ଦେଲାଣି। ଜଙ୍ଗଲ ପୋଡ଼ିଠାରୁ ଆରମ୍ଭ କରି ଶିଳ୍ପ, ଜନବସତି, ଦ୍ରୁତ ସହରୀକରଣ ଓ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରତ୍ୟେକ ବର୍ଷ ହଜାର ହଜାର ହେକ୍ଟର ଘଞ୍ଚ ଜଙ୍ଗଲକୁ ନଷ୍ଟ କରାଯାଉଛି, ଯାହାକି ପରିବେଶ ଓ ମାନବଜାତି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାର ପ୍ରଭାବ ଗତ କିଛିବର୍ଷ ହେବ ଦେଖିବାକୁ ମିଳିଲାଣି। କ୍ରମାଗତ ଭାବେ ବିଶ୍ୱତାପନ ବଢ଼ିବାରେ ଲାଗିଛି। ଉଭୟ ଜଳ ଓ ସ୍ଥଳଭାଗର ତାପମାତ୍ରା ବଢ଼ିଚାଲିଛି। ଏଭଳିସ୍ଥଳେ ଭାରତରେ ୧୨୧ ବର୍ଷ ମଧ୍ୟରେ ୨୦୨୧ ପଞ୍ଚମ ଉତ୍ତପ୍ତ ବର୍ଷ ଭାବେ ଉଭା ହୋଇଛି। ଭାରତୀୟ ପାଣିପାଗ ସଂସ୍ଥା(ଆଇଏମ୍ଡି) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି। ପୂର୍ବରୁ ଦେଶରେ ୨୦୦୯, ୨୦୧୦, ୨୦୧୬ ଏବଂ ୨୦୧୭ ଉତ୍ତପ୍ତ ବର୍ଷ ଭାବେ ଗଣାଯାଇଥିଲା। ଲଗାତର ଉତ୍ତପ୍ତ ବର୍ଷ ଦେଶ ପାଇଁ ସତର୍କଘଣ୍ଟି ବଜାଇଲାଣି।
ସାରା ବିଶ୍ୱ କଥା ଦେଖିଲେ, ୨୦୨୧କୁ ସପ୍ତମ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ ହୋଇଛି। ଏହି ବର୍ଷ ଉଭୟ ଜଳ ଓ ସ୍ଥଳ ଭାଗର ତାପମାତ୍ରା ୧.୦୪ ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇଛି। ୧୯୮୦ ପ୍ରାକ୍ ଶିଳ୍ପ ସମୟ ପରଠାରୁ ଏହି ତାପମାତ୍ରା ବୃଦ୍ଧି ହୋଇଛି। ଜାତିସଂଘ ସଂସ୍ଥା ବିଶ୍ୱ ଜଳବାୟୁ ସଂଗଠନ(ଡବ୍ଲ୍ୟୁଏମ୍ଓ) ଦ୍ୱାରା କରାଯାଇଥିବା ରେକର୍ଡରୁ ଏଭଳି ତଥ୍ୟ ପଦାକୁ ଆସିଛି। ଏହା ପୂର୍ବରୁ ୨୦୧୮ ଷଷ୍ଠ ଏବଂ ୨୦୧୬ ପଞ୍ଚମ ଉତ୍ତପ୍ତ ବର୍ଷ ହୋଇଥିଲା। ଯଦିଓ ୨୦୨୦ ସେପ୍ଟେମ୍ବରରେ ପ୍ରଶାନ୍ତ ମହାସାଗରରେ ଲା-ନିନା ସୃଷ୍ଟି ହୋଇଥିଲା ତେବେ ଏହା ବିଶ୍ୱତାପନକୁ ଥଣ୍ଡା କରିବାରେ ସମର୍ଥ ହୋଇପାରି ନ ଥିଲା। ୨୦୨୧ରେ ଉତ୍ତର ମେରୁ ଅଞ୍ଚଳର ତାପମାତ୍ରା ୧.୦୯ ଡିଗ୍ରୀ ସେଲ୍ସିୟସ ବଢ଼ି ଯାଇଥିଲା, ଯାହାକି ଗତ ୧୪୨ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ବିଶେଷ କରି ବିଶ୍ୱର ଉତ୍ତର ଆଫ୍ରିକା, ଦକ୍ଷିଣ ଆମେରିକାର ଦକ୍ଷିଣ ଭାଗ ଏବଂ ଦକ୍ଷିଣ ଏସିଆର ସ୍ଥଳଭାଗର ତାପମାତ୍ରା ସର୍ବାଧିକ ଥିବା ରେକର୍ଡ କରାଯାଇଛି। ସେହିପରି ଗତ ୭ ବର୍ଷ (୨୦୧୫ରୁ ୨୦୨୧) ହେବ ଲଗାତର ସମୁଦ୍ର ଜଳର ଉପରିଭାଗ ଉତ୍ତପ୍ତ ହୋଇ ରହୁଛି।
ଓଡ଼ିଶାରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ସୂଚନା ଦେଖିବାକୁ ମିଳିଲାଣି। ଅତ୍ୟଧିକ ବର୍ଷା, ତାପମାତ୍ରା ବୃଦ୍ଧି ଭଳି ଜଳବାୟୁ ପରିବର୍ତ୍ତନ ଚାଷ କାର୍ଯ୍ୟକୁ ପ୍ରଭାବିତ କଲାଣି। ୨୦୨୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅନିୟମିତତା ଯୋଗୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଚଳିତ ମୌସୁମୀ ସମୟରେ ଅଗଷ୍ଟ ମାସରେ ୫୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ସେପ୍ଟେମ୍ବରରେ ୪୦ ପ୍ରତିଶତ ଅଧିକ ବର୍ଷା ହୋଇଥିଲା, ଯାହାକି ଚାଷ କାର୍ଯ୍ୟକୁ ପ୍ରଭାବିତ କରିଥିଲା। ସହରୀକରଣ, ଶିଳ୍ପାୟନ, ଜନସଂଖ୍ୟା ବୃଦ୍ଧି ଯୋଗୁ ରାଜ୍ୟରେ ବହୁ ପରିମାଣ ଗଛ କାଟିବାକୁ ପଡୁଛି। ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକଳ୍ପ ସକାଶେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ବିଭିନ୍ନ ପ୍ରକଳ୍ପ ପାଇଁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୫୭ ହଜାର ୪୧୦ ହେକ୍ଟର ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କିସମରେ ପରିଣତ କରାଯାଇଛି। ଅନ୍ୟପକ୍ଷରେ ୨୦୨୧ ଦେଶର ଜଙ୍ଗଲଗୁଡ଼ିକ ପାଇଁ ଅଭିଶାପର ବର୍ଷ ପାଲଟିଥିଲା। ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍ ମଧ୍ୟରେ ୩,୪୫,୯୮୯ଟି ବନାଗ୍ନି ଘଟଣା ଘଟିଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ୩ଗୁଣରୁ ଊର୍ଦ୍ଧ୍ୱ ଥିଲା। ତେବେ ଏହି ବନାଗ୍ନି ଘଟଣା ଓଡ଼ିଶାରେ ସର୍ବାଧିକ ଘଟିଥିଲା। ଉକ୍ତ ଅବଧି ମଧ୍ୟରେ ରାଜ୍ୟରେ ୫୧,୯୬୮ଟି ଜଙ୍ଗଲ ନିଅଁା ଘଟଣା ଘଟିଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୫ ଗୁଣ ଅଧିକ ଥିଲା।
ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ତାପମାତ୍ରା ବଢୁଛି। ଏହାର ପ୍ରଭାବ ରାଜ୍ୟରେ ମଧ୍ୟ ଅନୁଭୂତ ହେବ। ଗତ ବର୍ଷ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହୋଇଛି, ତାହା ପୁଣେସ୍ଥିତ ଭାରତୀୟ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଗଲେ ଜାଣି ହେବ। ଆମ ପାଖରେ ସେମିତି କିଛି ଡାଟା ନାହିଁ। ତେବେ ଜଳବାୟୁ ପରିବର୍ତ୍ତନ ଓଡ଼ିଶା ଉପରେ ପଡ଼ିବ। ବିଶେଷ କରି ଚାଷକାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇ ଯୋଜନା ପ୍ରସ୍ତୁତ କରିବାକୁ ହେବ ବୋଲି ସେ କହିଛନ୍ତି।