କୁଆଲାଲମ୍ପୁର,୧୨।୫(ପି.ଟି.): ଭାରତରେ ଆୟୋଜନ ହେବାକୁ ଥିବା ୨୦୨୨ ଏଏଫ୍ସି ମହିଳା ଏସିଆନ କପ୍ କ୍ୱାଲିଫାଇଂ ରାଉଣ୍ଡ ଡ୍ର’କୁ ସ୍ଥଗିତ ରଖାଯାଇଛି। ମେ’ ୨୭ ତାରିଖରେ ଏହା ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ଭାରତ ସହ ଏସିଆ ମହାଦେଶରେ କୋଭିଡ୍- ୧୯ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଏସିଆନ ଫୁଟ୍ବଲ କନ୍ଫେଡେରେଶନ (ଏଏଫ୍ସି) ଏହି ନିଷ୍ପତ୍ତି ନେଇଛି। ସବୁ ଦଳ, ଖେଳାଳି, ଅଫିସିଆଲ ଓ ଫୁଟ୍ବଲ ସମ୍ପର୍କିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେବାକୁ ହେଲା ବୋଲି ଏଏଫ୍ସି ତରଫରୁ କୁହାଯାଇଛି। ସ୍ଥିତି ଉପରେ ନଜର ରଖାଯାଇଛି ଓ ସମୟ ସୁବିଧା ଦେଖି ଏହି ଟୁର୍ନାମେଣ୍ଟର ତାରିଖ ପରେ ଘୋଷଣା କରାଯିବ।
ଗତ ଜାନୁୟାରୀରେ ଏଏଫ୍ସି ମୁଖ୍ୟ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଘୋଷଣା କରିଥିଲା ଓ ଏହା ଆସନ୍ତାବର୍ଷ ଜାନୁୟାରୀ ୨୦ରୁ ଫେବୃୟାରୀ ୬ ମଧ୍ୟରେ ଆୟୋଜନ ହେବ ବୋଲି କୁହାଯାଇଥିଲା। ତେବେ ଉଜ୍ବେକିସ୍ତାନରେ ଆୟୋଜନ ହେବାକୁ ଥିବା ୨୦୨୨ ମହିଳା ଏଏଫ୍ସି ୨୦ ବର୍ଷରୁ କମ୍ ଏସିଆନ କପ୍ ଓ ଇଣ୍ଡୋନେସିଆରେ ଆୟୋଜନ ହେବାକୁ ଥିବା ୨୦୨୨ ଏଏଫ୍ସି ୧୭ ବର୍ଷରୁ କମ୍ ମହିଳା ଏସିଆନ କପ୍ର କ୍ୱାଲିଫାଇଂ ଡ୍ର ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମେ’ ୨୭ରେ ଆରମ୍ଭ ହେବ ବୋଲି କୁହାଯାଇଛି।