୮୭ ମିନିଟରେ ୨୦୨୩ ବଜେଟ ଉପସ୍ଥାପନ: ନୂଆ ଭାରତର ଚିତ୍ର ସ୍ପଷ୍ଟ,ରାଜ୍ୟଙ୍କୁ ୫୦ ବର୍ଷର ସୁଧମୁକ୍ତ ଋଣ,ପ୍ୟାନ କାର୍ଡକୁ ଜାତୀୟ ପରିଚୟ କାର୍ଡ ମାନ୍ୟତା…

ନୂଆଦିଲ୍ଲୀ,୧।୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୮୭ ମିନିଟର ବଜେଟ ଉପସ୍ଥାପନ କରି ନୂଆ ଭାରତର ଚିତ୍ର ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଦେଶର ସାଧାରଣ ବଜେଟ ଉପସ୍ଥାପନ କରି କହିଛନ୍ତି ଯେ ଭାରତୀୟ ଅର୍ଥନୀତି ଏକ ଉଜ୍ଜ୍ୱଳ ତାରକା ସାବ୍ୟସ୍ତ ହୋଇଛି। ଗରିବ ଖାଦ୍ୟ ଶସ୍ୟ ଯୋଜନା ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏକ ବଡ ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ୭ ଲକ୍ଷ ଆୟ ପର୍ଯ୍ୟନ୍ତ କୌଣସି ଟିକସ ଆଦାୟ କରାଯିବ ନାହିଁ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ପ୍ୟାନ କାର୍ଡ ବର୍ତ୍ତମାନ ଜାତୀୟ ପରିଚୟ କାର୍ଡ ଭାବରେ ପରିଚିତ ହେବ। ବଜେଟରେ ଘୋଷଣା କରାଯାଇଛି ଯେ ବୈଦ୍ୟୁତିକ ଯାନ, ଅଟୋମୋବାଇଲ, ଖେଳନା ଏବଂ ଦେଶୀ ମୋବାଇଲ ଶସ୍ତା ହେବ। ଯେଉଁଠାରେ, ଚିମିନି, କିଛି ମୋବାଇଲ ଫୋନ ଏବଂ କ୍ୟାମେରା ଲେନ୍ସ, ସିଗାରେଟ ସୁନା, ରୂପା, ପ୍ଲାଟିନମ ମହଙ୍ଗା ହେବ। ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ଖାତା ଯୋଜନା ସୀମା ୪.୫ ଲକ୍ଷରୁ ୯ ଲକ୍ଷକୁବୃଦ୍ଧି କରାଯାଇଛି। ୩ ବର୍ଷରେ ୪୭ ଲକ୍ଷ ଯୁବବର୍ଗଙ୍କୁ ସହାୟତା ପ୍ରଦାନ କରାଯିବ। ସେହିପରି ୩ ବର୍ଷରେ ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଚାଷ ପାଇଁ ସହାୟତା ପ୍ରଦାନ କରାଯିବ। ୧୦ ହଜାର ଜୈବ ଇନପୁଟ କେନ୍ଦ୍ର ସ୍ଥାପନ କରାଯିବ। ୫୦ ନୂଆ ବିମାନ ବନ୍ଦର ନିର୍ମାଣ କରାଯିବ। ଜେଲରେଥିବା ଗରିବ ବନ୍ଦୀଙ୍କ ଜାମିନ ପାଇଁ ସହାୟତା।

ରାଜ୍ୟଗୁଡ଼ିକର ବିକାଶ ପାଇଁ ୫୦ ବର୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରାଯିବ। ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ ୨୦୧୪ଠା ରୁ ସରକାରଙ୍କ ଉଦ୍ୟମ ସମସ୍ତ ନାଗରିକଙ୍କ ଜୀବନରେ ଉନ୍ନତି ଆଣିଛି। ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇ ୧.୯୭ ଲକ୍ଷ ଟଙ୍କା ହୋଇଛି। ଏହି ୯ ବର୍ଷରେ ଭାରତୀୟ ଅର୍ଥନୀତି ଦଶମରୁ ୫ ମ ସ୍ଥାନକୁ ବୃଦ୍ଧି ପାଇଛି । ଯୁବ ଉଦ୍ୟୋଗୀଙ୍କ ଦ୍ୱାରା କୃଷି-ଷ୍ଟାର୍ଟଅପକୁ ଉତ୍ସାହିତ କରିବା ପାଇଁ ଏକ କୃଷି ପାଣ୍ଠି ସୃଷ୍ଟି ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏଥି ସହିତ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରାଯିବ ।

Share