୩ ଦଶନ୍ଧିରେ ନଦୀଗୁଡ଼ିକ ପାଇଁ ୨୦୨୩ ସବୁଠୁ ଶୁଷ୍କ ବର୍ଷ

ଜେନେଭା, ୮।୧୦: ନିକଟରେ ବିଶ୍ୱବ୍ୟାପୀ ଦେଖାଦେଇଥିବା ଜଳ ସଙ୍କଟର ଏକ ଚିନ୍ତାଜନକ ବିଷୟକୁ ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ସୋମବାର ଜାରି ହୋଇଥିବା ‘ଷ୍ଟେଟ ଅଫ୍‌ ଗ୍ଲୋବାଲ ଓ୍ବାଟର ରିସୋର୍ସେସ୍‌ ୨୦୨୩’ ରିପୋର୍ଟରେ ବିସ୍ତୃତ ଭାବେ ଦର୍ଶାଯାଇଛି। ଉକ୍ତ ରିପୋର୍ଟରେ ଭୂତଳ ଜଳସ୍ତର ହ୍ରାସ, ବରଫ ହ୍ରାସ, ଜଳବାୟୁ ପରିବର୍ତ୍ତନ ଆଦି ଯୋଗୁ ବଢ଼ୁଥିବା ଜଳ ସଙ୍କଟକୁ ନେଇ ବିଶ୍ଳେଷଣ କରାଯାଇଛି।
୩୩ ବର୍ଷ ମଧ୍ୟରେ ନଦୀଗୁଡ଼ିକ ପାଇଁ ୨୦୨୩ ସବୁଠାରୁ ଶୁଷ୍କ ବର୍ଷ ଥିବା ରିପୋର୍ଟ ପ୍ରକାଶ କରିଛି। ୨୦୨୩ରେ ବିଶ୍ୱର ଅଧାରୁ ଅଧିକ ନଦୀର ଜଳସ୍ତର ସ୍ବାଭାବିକ ତୁଳନାରେ ବହୁତ କମ୍‌ ଥିଲା। ଗତବର୍ଷ ଉତ୍ତର, ମଧ୍ୟ ଏବଂ ଦକ୍ଷିଣ ଆମେରିକାର ବିଭିନ୍ନ ଅଞ୍ଚଳରେ ଭୟଙ୍କର ମରୁଡି ଦେଖାଦେଇଥିଲା। ସେଠାରେ ନଦୀଗୁଡ଼ିକର ଜଳ ପ୍ରବାହ ହ୍ରାସ ପାଇଥିଲା। ଆମେରିକାର ମିସିସିପି ଓ ଆମାଜନ ଭଳି ପ୍ରମୁଖ ନଦୀର ଜଳସ୍ତର ରେକର୍ଡ ସ୍ତରକୁ ଖସିଥିଲା। ସେହିପରି ଏସିଆର ଗଙ୍ଗା, ବ୍ରହ୍ମପୁତ୍ର ଏବଂ ମେକୋଙ୍ଗ ନଦୀର ଜଳସ୍ତର ମଧ୍ୟ କମ୍‌ ପରିଲକ୍ଷିତ ହୋଇଥିଲା। ଅନ୍ୟପକ୍ଷରେ ଗତବର୍ଷ ଆଫ୍ରିକାର ପୂର୍ବ ଉପକୂଳରେ ଥିବା ନଦୀଗୁଡ଼ିକର ଜଳସ୍ତର ସ୍ବାଭାବିକଠାରୁ ଅଧିକ ଥିଲା।
କେବଳ ନଦୀ ନୁହେଁ, ଗତବର୍ଷ ଭାରତ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆରେ ଥିବା ବିଭିନ୍ନ ଜଳାଶୟର ଜଳସ୍ତର ମଧ୍ୟ ସ୍ବାଭାବିକଠାରୁ କମ୍‌ ରହିଥିଲା। ସେହିପରି ୨୦୨୩ରେ ଦକ୍ଷିଣ ଆଫ୍ରିକା, ଭାରତ, ଇସ୍ରାଏଲ, ଆୟର୍ଲାଣ୍ଡ, ଅଷ୍ଟ୍ରେଲିଆ ଓ ଇସ୍ରାଏଲ୍‌ରେ ସ୍ବାଭାବିକ ବୃଷ୍ଟିପାତ ହୋଇଥିବା କାରଣରୁ ଏଠାରେ ଥିବା ଅଧିକାଂଶ କୂଅର ଭୂତଳ ଜଳସ୍ତର ଅଧିକ ଥିଲା। ତେବେ ଉତ୍ତର ଆମେରିକା ଓ ୟୁରୋପର କିଛି ଅଞ୍ଚଳରେ ମରୁଡ଼ି ହେତୁ ଭୂତଳ ଜଳର ମାତ୍ରା କମ୍‌ ଥିଲା। ରିପୋର୍ଟ ଅନୁଯାୟୀ, ଲୋକଙ୍କର ଦୈନନ୍ଦିନ ଆବଶ୍ୟକତା ତଥା କୃଷି କାର୍ଯ୍ୟ ଆଦି ପାଇଁ ଉପଲବ୍ଧ ଜଳର ପରିମାଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛ। ଯାହାଫଳରେ ବିଶ୍ୱ ଜଳଯୋଗାଣ ଉପରେ ଚାପ ବୃଦ୍ଧି ପାଇଛି। ସେହିପରି ଉକ୍ତ ରିପୋର୍ଟ ଅନୁଯାୟୀ, ବିଗତ ୫ ଦଶନ୍ଧି ମଧ୍ୟରେ ଗ୍ଲାସିୟର ମଧ୍ୟ ଗତବର୍ଷ ସର୍ବାଧିକ ବରଫ ହରାଇଛି। ୨୦୨୨ ସେପ୍ଟେମ୍ବରରୁ ୨୦୨୩ ଅଗଷ୍ଟ ମଧ୍ୟରେ ଗ୍ଲାସିୟରଗୁଡ଼ିକରୁ ୬୦ ହଜାର କୋଟି ଟନ୍‌ରୁ ଅଧିକ ବରଫ ତରଳିଥିବା ଡବ୍ଲ୍ୟୁଏମ୍‌ଓ କହିଛି।

Share