ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନରେ ୨୦୨୪ପାଇଁ ଭୋଟ ଗଣନା ଜାରି ରହିଛି। ଟ୍ରେଣ୍ଡରେ ଏନଡିଏ ନିଶ୍ଚିତ ଭାବରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ମଧ୍ୟ ୪୦୦ ଅତିକ୍ରମ କରିପାରିନାହିଁ। ଇଣ୍ଡିଆ ସହଯୋଗୀ ଦଳ ଏନଡିଏକୁ କଡା ଟକ୍କର ଦେଉଛି। ଏନଡିଏ ପ୍ରାୟ ୩୦୦ ଟି ଆସନରେ ସୀମିତ ରହିଥିବା ଦେଖାଯାଇଛି। ଇଣ୍ଡିଆ ବି ୨୦୦ ଆସନ ଉର୍ଦ୍ଧ୍ୱରେ ରହିଛି। କେବଳ ଭାଜପା ୨୩୪ରେ ଅଗ୍ରଣୀ ରହିଥିବା ବେଳେ ୨୭୨ ମ୍ୟାଜିକ୍ ନମ୍ବର ଛୁଇଁପାରିନାହିଁ। ଯଦି ଭାଜପା ସଂଖ୍ୟାଗରିଷ୍ଠତା ହାସଲ ନ କରେ, ତେବେ ଏନଡିଏର ବଡ ସହଯୋଗୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କ ଜେଡିୟୁ ଏନଡିଏର ବଡ ଶକ୍ତି । ଯଦି ସେମାନେ ଏନଡିଏ ସହ ମେଣ୍ଟ ଭାଙ୍ଗିଦିଅନ୍ତି ଦେବେ ଏନଡିଏ ସରକାର ଗଢିବା କଷ୍ଟସାଧ୍ୟ ହୋଇଯିବ।
ଅନ୍ୟପଟେ, ଇଣ୍ଡିଆ ସରକାର ଗଢିବା ପାଇଁ କସରତ ଚଳାଇଛି। କୁହାଯାଉଛି କି, ନୀତୀଶଙ୍କୁ ଇଣ୍ଡିଆରେ ମିଶିଯିବାକୁ ଅଫର ଦିଆଯାଇଛି। ଅନ୍ୟପଟେ, ଏନସିପି ସୁପ୍ରିମୋ ଶରଦ ପାଓ୍ବାର ନୀତୀଶ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ଯଦି ଏହି ୨ ଏନଡିଏର ବଡ଼ ଶକ୍ତି ଇଣ୍ଡିଆ ସହିତ ମିଶିଯାନ୍ତି, ତେବେ ଇଣ୍ଡିଆ ହିଁ ସରକାର ଗଢିବ। ଏଥିରେ କୌଣସି ଦ୍ୱନ୍ଦ ନାହିଁ।