୨୦୨୪ ମାଟ୍ରିକ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ ହୋଇପାରିବ

କଟକ,୫।୭(ସୁପ୍ରିୟା ପ୍ରିୟଦର୍ଶିନୀ): ୨୦୨୪ରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ ତଥ୍ୟ ବା ଏନ୍‌ରୋଲ୍‌ମେଣ୍ଟ ଡାଟାରେ କୌଣସି ଭୁଲ ଥିଲେ ଏହାକୁ ସଂଶୋଧନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସ୍କୁଲଗୁଡିକୁ ଆଉ ଏକ ସୁଯୋଗ ପ୍ରଦାନ କରାଯାଇଛି। ଆସନ୍ତା ୬ରୁ ୧୭ ତାରିଖ ପର୍ଯ୍ୟନ୍ତ ବୋର୍ଡ ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ରଙ୍କର ଏନ୍‌ରୋଲ୍‌ମେଣ୍ଟ ଡାଟାକୁ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଯିବ। ଛାତ୍ରୀଛାତ୍ରଙ୍କ ନାମ, ଫଟୋ ଏବଂ ଏନ୍‌ରୋଲ୍‌ମେଣ୍ଟ ନମ୍ବର ବ୍ୟତୀତ ଅନ୍ୟ ସମସ୍ତ ତଥ୍ୟ ସଂଶୋଧନ ହୋଇପାରିବ। ଯଦି ତୃତୀୟ ଭାଷା ବିଷୟରେ ଭୁଲ ଥାଏ, ତାହାକୁ ପରିବର୍ତ୍ତନ କରାଯାଇପାରିବ। ଯଦି କୌଣସି ଛାତ୍ରୀଛାତ୍ର ସ୍କୁଲ ପରିବର୍ତ୍ତନ କରିଥିବେ ଏବଂ ସେମାନଙ୍କର ନାମ, ଫଟୋ ଏବଂ ଏନ୍‌ରୋଲ୍‌ମେଣ୍ଟ ନମ୍ବରକୁ ପରିବର୍ତ୍ତନ କରିବାକୁ ପଡେ, ତେବେ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକମାନେ ସ୍କୁଲର କାଗଜପତ୍ରକୁ ସ୍ଥାନୀୟ ବୋର୍ଡର ଜୋନ୍‌ କାର୍ଯ୍ୟାଳୟରେ ଅଫ୍‌ଲାଇନ୍‌ରେ ଦାଖଲ କରିବେ। ୧୭ ତାରିଖ ପରେ କୌଣସି ସଂଶୋଧନ ପ୍ରକ୍ରିୟା ହେବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।