୨୦୨୪ରେ କେମିତି ରହିବ ଦୁନିଆ? ୧୦୦ବର୍ଷ ପୂର୍ବେ ଏହି ଖବରକାଗଜ କରିଥିଲା ଭବିଷ୍ୟବାଣୀ, ସତ ହୋଇଛି…

ଅଟାଓ୍ବା,୨୪।୧: ଏବେ ନୁହେଁ ବହୁବର୍ଷ ଧରି ଭବିଷ୍ୟତକୁ ନେଇ ବିଭିନ୍ନ ଭବିଷ୍ୟବାଣୀ କରାଯାଇଆସୁଛି। ଏଥିରୁ କିଛି ସତ ହୋଇଥାଏ ତ କିଛି ମିଛ। ନିକଟରେ ୧୦୦ବର୍ଷ ପୂର୍ବର ଏକ ଖବରକାଗଜର ଏକ କଟିଙ୍ଗ ଆର୍ଟିକିଲ୍‌ ଭାଇରାଲ ହୋଇଛି ଯେଉଁଥିରେ ୨୦୨୪ର ଜୀବନପ୍ରଣାଳୀ, ମାନବ ସଭ୍ୟତା କିପରି ରହିବ ଉଲ୍ଲେଖ କରାଯାଇଛି।
୧୯୨୪ରେ ଏକ ଖବରକାଗଜରେ ଏହି ଭବିଷ୍ୟବାଣୀ କରାଯାଇଥିଲା। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କାନାଡାର କ୍ୟାଲଗରୀ ୟୁନିଭରସିଟିର ରିସର୍ଚ୍ଚର ପୋଲ ଫ୍ୟାରୀ ଏହି ଖବରକାଗଜର କଟିଂକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଏଥିରେ କୁହାଯାଇଛି କି, ୨୦୨୪ରେ ଘୋଡାଙ୍କ ସଂଖ୍ୟା ହ୍ରାସ ପାଇବ। ବଦଳରେ ବିଭିନ୍ନ ପ୍ରକାର ଗାଡି ଚାଲିବ। ଗାଡି ସଂଖ୍ୟା ବହୁଳ ମାତ୍ରାରେ ବୃଦ୍ଧି ପାଇବ। ରେଡିଓ ବଦଳରେ ପୋଡକାଷ୍ଟର ଚାହିଦା ବଢିବ। ସେତେବେଳେ ତାହା ଲୋକପ୍ରିୟ ହେବ। ଏହି କ୍ରମରେ ଲୋକଙ୍କର ଆୟୁଷ ୧୦୦ବର୍ଷ ଯାଏଁ ରହିବ। ଏଥିସହ ୭୫ବର୍ଷିୟ ବ୍ୟକ୍ତିଙ୍କୁ ଯୁବକ ବୋଲି କୁହାଯିବ। ସେହପରି ୨୦୨୪ରେ ସବୁଠି ୧୦୦ମହଲା ବିଶିଷ୍ଟ ଫ୍ଲାଟ ଦେଖାଯିବ। ଫ୍ୟାମିଲି ଆଲବମ ବଦଳରେ ଭିଡିଓ ଲୋକପ୍ରିୟ ହେବ। ଲୋକ ଅନ୍ୟ ଗ୍ରହକୁ ସହଜରେ ପହଞ୍ଚିପାରିବେ।


ତେବେ ୧୦୦ବର୍ଷର ଏହି ଆର୍ଟିକିଲ ଅନୁସାରେ ପ୍ରତିଟି କଥା ସତ ହୋଇଥିବା ଦେଖିବାକୁ ମିଳୁଥିବାବେଳେ କେତୋଟି କଥା ଏପର୍ଯ୍ୟନ୍ତ ସତ ହୋଇନାହିଁ। ଯେପରି, ଫିଲ୍ମ, ଦୁନିଆରେ ଶାନ୍ତି ଆଣିବ। ହଲିଉଡ ଏକ ୟୁନିର୍ଭସାଲ ଭାଷା ଆଣିବ। ଏବଂ ଦୁନିଆରେ ଯୁଦ୍ଧ ସମାପ୍ତ ହୋଇଯିବ।

Share