ନୂଆଦିଲ୍ଲୀ,୧୧।୩: ଭାରତୀୟ କ୍ରିକେଟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଚଳିତ ବର୍ଷ ଜୁନରେ ଖେଳାଯିବାକୁ ଥିବା ଆଇପିଏଲ ୨୦୨୪ ଏବଂ ୨୦୨୪ ଟି -୨୦ ବିଶ୍ୱକପ୍ ଖେଳିବେ ନାହିଁ। ବିସିସିଆଇ ସଚିବ ଜୟ ଶାହା ଏହା ନିଶ୍ଚିତ କରିଛନ୍ତି। ଶାମି ଗୋଡରେ ଅସ୍ତ୍ରୋପଚାର କରିଛନ୍ତି ଆଉ ବର୍ତ୍ତମାନ ସେ ପୁନରୁଦ୍ଧାର ହେଉଛନ୍ତି। ରିପୋର୍ଟ ଅନୁଯାୟୀ, ସେ ବାଂଲାଦେଶ ବିପକ୍ଷ ସିରିଜରେ ଫେରିବେ।
ଶାମି ବ୍ୟତୀତ ରିଷଭ ପନ୍ତଙ୍କ ବିଷୟରେ ଏକ ବଡ ଅପଡେଟ୍ ମଧ୍ୟ ସାମ୍ନାକୁ ଆସିଛି। ପନ୍ତ ୨୦୨୪ ଟି -୨୦ ବିଶ୍ୱକପ୍ ଖେଳିପାରନ୍ତି। ପନ୍ତଙ୍କ ବିଷୟରେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ସେ ଭଲ ବ୍ୟାଟିଂ କରୁଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି। ଆମେ ତାଙ୍କୁ ଶୀଘ୍ର ଫିଟ୍ ଘୋଷଣା କରିବୁ । ଯଦି ସେ ଆମ ପାଇଁ ଟି -୨୦ ବିଶ୍ୱକପ୍ ଖେଳିପାରନ୍ତି, ତେବେ ଏହା ଆମ ପାଇଁ ଏକ ବଡ଼ କଥା ହେବ।