କରୋନା ଭାଇରସ୍ ପ୍ରଭାବ: ସଦସ୍ୟ ରାଷ୍ଟ୍ରଗୁଡ଼ିକର ମତାମତ ଲୋଡ଼ିଲା ଆଇଓସି

ପ୍ୟାରିସ, ୨୩ା୩ (ଏଏଫ୍‌ପି)-ସମଗ୍ର ବିଶ୍ୱରେ ଘାତକ କରୋନା ଭାଇରସ୍‌ ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ କରିବା ଉଚିତ୍‌ ହେବ କି ନା ସେ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି) ଦ୍ୱନ୍ଦ୍ୱରେ ପଡ଼ିଛି। ଗେମ୍ସକୁ ସ୍ଥିଗିତ ଅବା ବାତିଲ କରିବା ଲାଗି ବିଭିନ୍ନ ଆଡୁ ଚାପ ପଡ଼ିବାରେ ଲାଗିଛି। ଆଥ୍‌ଲେଟଙ୍କ ପ୍ରସ୍ତୁତି କ୍ଷେତ୍ରରେ କରୋନା ଭାଇରସ୍‌ର ପ୍ରଭାବ କିପରି ରହିଛି ସେ ନେଇ ଏକ ରିପୋର୍ଟ ପଠାଇବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ଅଲିମ୍ପିକ କମିଟିକୁ କହିଛି। ଜାତୀୟ ଅଲିମ୍ପିକ କମିଟିଗୁଡ଼ିକ ନିକଟକୁ ପଠାଯାଇଥିବା ପ୍ରଶ୍ନାବଳୀର ଶୀର୍ଷକ ”କୋଭିଡ-୧୯ ଆଣ୍ଡ୍‌ ପ୍ରିପାରେଶନ ଫର୍‌ ଦି ଟୋକିଓ ଅଲିମ୍ପିକ୍‌ ଗେମ୍ସ“ ରଖାଯାଇଛି। ଶୁକ୍ରବାର ୟୁଏସ୍‌ଏ ସୁଇମିଂ ଖୋଲାଖୋଲି ଭାବେ ବର୍ତ୍ତମାନ ପରିସ୍ଥିତିରେ ଗେମ୍ସର ଆୟୋଜନ ବିରୋଧରେ ସ୍ବରଉତ୍ତୋଳନ କରିବା ପରେ ଆଇଓସି ଉପରେ ଚାପ ବୃଦ୍ଧି ପାଇଛି। ଟୋକିଓ ଅଲିମ୍ପିକ୍ସ ବାତିଲ କରାଯିବା ଉଚିତ ବୋଲି ୟୁଏସ୍‌ଏ ସୁଇମିଂ କହିଛି। ପ୍ରଶ୍ନାବଳୀରେ ବିକଳ୍ପ ବ୍ୟବସ୍ଥା ଏପରିକି ଅନ୍ୟତ୍ର ଟ୍ରେନିଂ କ୍ୟାମ୍ପ ଆୟୋଜନ ସମ୍ପର୍କରେ ମତାମତ ଲୋଡାଯାଇଛି। ୟୁଏସଏ ସୁଇମିଂ କହିଛି ଭାଇରସ୍‌ ସଂକ୍ରମଣରୁ ରିସ୍କ ରହିଥିବାରୁ ସନ୍ତରଣକାରୀମାନଙ୍କୁ ଟ୍ରେନିଂ ଦେବା ଏଣିକି ସମ୍ଭବପର ନୁହେଁ। ଫ୍ରେଞ୍ଚ ସୁଇମିଂ ଫେଡେରେଶନ, ନରଓ୍ବେ ଅଲିମ୍ପିକ କମିଟି ଆଣ୍ଡ୍‌ ଆଥଲେଟ୍ସ ମଧ୍ୟ ସମାନ କଥା କହିଛନ୍ତି। ଟୋକିଓରେ ୨୦୨୦ ଅଲିମ୍ପିକ ଗେମ୍ସକୁ ଯେପରି ସ୍ଥଗିତ ରଖାଯାଇପାରିବ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଯଥାର୍ଥ ଯୁକ୍ତି ଉପସ୍ଥାନ କରିବା ଲାଗି ୟୁଏସଏ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ମୁଖ୍ୟ ମାକ୍ସ ସିଜେଲ ଏକ ବିନମ୍ର ଅନୁରୋଧ ଚିଠି ୟୁଏସ୍‌ ଅଲିମ୍ପିକ ଆଣ୍ଡ୍‌ ପାରା ଅଲିମ୍ପିକ କମିଟି (ୟୁଏସ୍‌ଓପିସି) ନିକଟକୁ ଲେଖିଛନ୍ତି। ଦିନକୁ ଦିନ ଅଧିକରୁ ଅଧିକ ସଦସ୍ୟ ଟୋକିଓ ଗେମ୍ସକୁ ଘୁଞ୍ଚା ଦେବା ସପକ୍ଷରେ ମତ ଦେଉଛନ୍ତି। କରୋନା ଭାଇରସ୍‌ ଭୟରେ ୟୁରୋ ୨୦୨୦ ଫୁଟ୍‌ବଲ ଟୁର୍ନାମେଣ୍ଟ ସମେତ ଅନେକ ବଡ଼ ବଡ଼ ଇଭେଣ୍ଟ ଇତିମଧ୍ୟରେ ବାତିଲ ଅବା ସ୍ଥଗିତ ରଖାଯାଇ ସାରିଲାଣି ବୋଲି ସେମାନେ ଯୁକ୍ତି କରିଛନ୍ତି। ଏହାଦ୍ୱାରା ଆଇଓସି ଖୁବ୍‌ ଚାପରେ ରହିଛି। ଏଣେ ଶୁକ୍ରବାର ଏକ ଖବରକାଗଜକୁ ସାକ୍ଷତ୍‌କାର ଦେଇ ଆଇଓସି ସଭାପତି ଥୋମାସ ବ୍ୟାକ୍‌ କହିଛନ୍ତି ଗେମ୍ସ ଆହୁରି ସାଢେ ଚାରି ମାସ ସମୟ ବାକି ରହିଛି। ଏତେ ଆଗୁଆ କୌଣସି ଦୃଢ ପଦକ୍ଷେପ ନେବା ଉଚିତ୍‌ ହେବ ନାହିଁ।

Share