ଲକ୍ଷ୍ନୌରେ ଫସି ରହିଛନ୍ତି ୫ ଯୁବକ

ସମ୍ବଲପୁର, ୨୬।୩ (ବ୍ୟୁରୋ)
କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍‌ ଡାଉନ ଘୋଷଣା ହେବାପରେ ବିଭିନ୍ନ ସ୍ଥାନରେ ଶ୍ରମିକମାନେ ଫଶି ରହିଛନ୍ତି। ଲକ୍ଷ୍ମୌରେ ସମ୍ବଲପୁର ଜିଲାର ୫ଜଣ ଯୁବକ ଫସିଥିବା ନେଇ ସୂଚନା ମିଳିଛି। ସୋସିଆଲ ମିଡିଆରେ ସେମାନେ ଫଟୋ ପୋଷ୍ଟ କରି ସମ୍ବଲପୁର ଜିଲା ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି । ସମ୍ବଲପୁର ଧନୁପାଲି ଥାନାର ଦୁଷ୍ମନ୍ତ ମିଶ୍ର, ଜ୍ଞାନଦେବ ବାଗ, ଅନନ୍ତ ନାରାୟଣ ବେହେରା, ରେଢ଼ାଖୋଲର ଦୁଷ୍ମନ୍ତ ମହାପାତ୍ର ଓ ବରଗଡ ଜିଲାର ସଞ୍ଜୟ ଭୋଇ ଲକ୍ଷ୍ନୌରେ ଫସି ରହିଛନ୍ତି । ସେମାନଙ୍କ କହିବା ଅନୁସାରେ ମାର୍ଚ୍ଚ ୧୭ ତାରିଖ ପ୍ରତାପଗଡରେ ଏକ ସମ୍ପର୍କୀୟଙ୍କ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେଠାକୁ ଯାଇଥିଲେ। ବିବାହ କାର୍ଯ୍ୟ ସରିବା ପରେ ସେମାନେ ମାର୍ଚ୍ଚ ୨୩ ତାରିଖ ଓଡିଶାକୁ ଫେରିବା ପାଇଁ ଜମ୍ମୁ-ତାଇ ଏକ୍ସପ୍ରେସ ଟ୍ରେନ୍‌ରେ ଟିକେଟ କରିଥିଲେ। ହେଲେ ମାର୍ଚ୍ଚ ୨୨ ତାରିଖରୁ ଜନତା କର୍ଫ୍ୟୁ ଜାରି କରାଯାଇଥିଲା। ଓଡିଶା ସମେତ ଅନ୍ୟ କେତେକ ରାଜ୍ୟ ଲକ୍‌ ଡାଉନ୍‌ ଘୋଷଣା ପରେ ଟ୍ରେନ୍‌ ଗୁଡିକ ବାତିଲ ହେବା ସହ ଆନ୍ତ ରାଜ୍ୟ ବସ୍‌ ସେବା ବନ୍ଦ ହୋଇଯାଇଛି। ତେଣୁ ଆସିବାକୁ ରାସ୍ତା ନ ପାଇ ସେମାନେ ଫଶି ଯାଇଛନ୍ତି । ଲକ୍ଷୌ ରେଳ ଷ୍ଟେଶନ ନିକଟରେ ଏକ ଛୋଟିଆ ହୋଟେଲ ଭିତରେ ସେମାନେ ଏବେ ରହିଛନ୍ତି । ସନ୍ଧ୍ୟା ସମୟରେ ବିସ୍କୁଟ, ପାଉଁରୁଟି ଖାଇ ରହୁଛନ୍ତି। ସମ୍ବଲପୁର ଜିଲାପାଳ ଶୁଭମ୍‌ ସକ୍‌ସେନାଙ୍କୁ ୨୪ ତାରିଖ ସୋସିଆଲ ମିଡିଆରେ ସହଯୋଗ ପାଇଁ ଅନୁରୋଧ କରିଥିଲେ। ହେଲେ ଜିଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରି ନାହିଁ। ଏପ୍ରିଲ ୧୪ ପର୍ଯ୍ୟନ୍ତ ଦେଶ ଲକ୍‌ ଡାଉନ୍‌ ଘୋଷଣା ହେବାରୁ ସେମାନେ ଆହୁରି ଚିନ୍ତିତ ହୋଇ ପଡିଛନ୍ତି। ପକେଟରେ ଖାଇବା ସାମଗ୍ରୀ କିଣିବା ପାଇଁ ଟଙ୍କାଟିଏ ନାହିଁ। ତେଣୁ ଶୀଘ୍ର ଲକ୍ଷ୍ମୌ ଜିଲା ପ୍ରଶାସନ ସହିତ ସମ୍ବଲପୁର ଜିଲା ପ୍ରଶାସନ ଯୋଗାଯୋଗ କରି ଉଦ୍ଧାର କରିବାକୁ ସେମାନେ ଅନୁରୋଧ କରିଛନ୍ତି ।

Share