Categories: ଜାତୀୟ

୨୧.୯୫ କୋଟିର ଗଛ କଟା

ମୁମ୍ବାଇ, ୧୭ା୩: ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରୁ ବେଆଇନ ଭାବେ ବର୍ତ୍ତମାନ ସୁଦ୍ଧା ୨,୮୪, ୧୭୧ ଗଛ କଟା ହୋଇଥିବାବେଳେ ଏ ନେଇ ମୋଟ ୪୮ ହଜାର ମାମଲା ଦାଏର ହୋଇଛି। ବୁଧବାର ରାଜ୍ୟ ବିଧାନ ପରିଷଦରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହା କହିଛନ୍ତି। ତଥ୍ୟ ଅନୁସାରେ ଗତ ୪ ବର୍ଷ ମଧ୍ୟରେ ୨୧.୯୫ କୋଟି ମୂଲ୍ୟର ଗଛ କଟା ଯାଇଛି। ବେଆଇନ ଗଛ କଟାକୁ ନେଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୮,୮୯୩ ମାମଲା ରୁଜୁ ହୋଇଥିବାବେଳେ ସେଥିମଧ୍ୟରୁ ୧,୪୩୫ ସଙ୍ଗିନ ମାମଲା ରହିଛି। ଏଥିରୁ କିଛି ଅଭିଯୋଗ ବୁଝାମଣା ଜରିଆରେ ସମାଧାନ ହୋଇସାରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ବେଆଇନ କାରବାରରେ ୧୯୯ରୁ ଅଧିକ ଗାଡ଼ି ବ୍ୟବହାର ହୋଇଥିବା ଠାକରେ କହିଛନ୍ତି। ୨୦୧୯-୨୧ ମଧ୍ୟରେ ମୁମ୍ବାଇର ସୁବୁରବାନ ଜିଲାରେ ୧.୦୮ ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ ହୋଇଥିବାବେଳେ ରାଜ୍ୟର ୧,୯୧୧.୩୩ ହେକ୍ଟର ପରିମିତ ସ୍ଥାନରେ ରାଜ୍ୟ ସରକାର ବନୀକରଣ କରିଥିବା ରିପୋର୍ଟରେ କୁହାଯାଇଛି। ୨୦୨୧ରେ ଶିବସେନା ବିଧାୟକ ସଞ୍ଜୟ ରାଠୋଡ ଇସ୍ତଫା ଦେବା ପରେ ଉଦ୍ଧବ ଜଙ୍ଗଲ ବିଭାଗ ଦାୟିତ୍ୱ ନେଇଥିଲେ।

Share