Categories: ବାଣିଜ୍ୟ

୨୦୨୩ରେ ଗାଡ଼ି ରପ୍ତାନି ୨୧% ହ୍ରାସ

ନୂଆଦିଲ୍ଲୀ,୧୫।୧ (ଅଭୟ ଦାଶ): ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସହିତ ଭୂରାଜନୈତିକ ଘଟଣାବଳୀ ପାଇଁ ଘରୋଇ ବଜାରରୁ ଯାନ ରପ୍ତାନି ୨୦୨୩ରେ ହ୍ରାସ ପାଇଛି ବୋଲି ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ଉତ୍ପାଦକ (ଏସ୍‌ଆଇଏଏମ୍‌) ପକ୍ଷରୁ ଏକ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏସ୍‌ଆଇଏଏମ୍‌ର ସୂଚନା ଅନୁଯାୟୀ ଗତ ବର୍ଷ (୨୦୨୩ବର୍ଷ) ଭାରତରୁ ଅଟୋମୋବାଇଲ ସିପମେଣ୍ଟ (ପରିବହନ) ପ୍ରାୟ ୨୧% ହ୍ରାସ ପାଇଥିଲାବେଳେ ୨୦୨୨ରେ ୫୨,୦୪,୯୬୬ ୟୁନିଟ୍‌ ତୁଳନାରେ ୨୦୨୩ରେ ମୋଟ ୪୨,୮୫,୮୦୯ ୟୁନିଟ୍‌ ଯାନ ରପ୍ତାନି ହୋଇଥିଲା। ସେହିଭଳି ୨୦୨୨ରେ ମୋଟ ୬,୪୪,୮୪୨ ୟୁନିଟ୍‌ ଯାତ୍ରୀବାହୀ ଯାନ ପରିବହନ କରାଯାଇଥିବାବେଳେ ୨୦୨୩ରେ ସେହି ସଂଖ୍ୟା ୫% ବୃଦ୍ଧି ପାଇ ୬,୭୭,୯୫୬ ୟୁନିଟ୍‌ରେ ପହଞ୍ଚତ୍ଛି, ଅବଶ୍ୟ ୨୦୨୩ରେ ବାଣିଜି୍ୟକ ଯାନ ଯଥା ଦୁଇ ଏବଂ ତିନି ଚକିଆ ଯାନ ଭଳି ଅନ୍ୟ ବିଭାଗଗୁଡ଼ିକ ମଧ୍ୟ ରପ୍ତାନିରେ ହ୍ରାସ ଘଟିଥଲା। ଅପରପକ୍ଷରେ ଦୁଇ ଚକିଆ ଯାନ ରପ୍ତାନି ୨୦% ହ୍ରାସ ପାଇ ୨୦୨୩ରେ ୩୨,୪୩,୬୭୩ ୟୁନିଟରେ ପହଞ୍ଚିଛି। ଏପରିକି ୨୦୨୨ରେ ଏହି ସଂଖ୍ୟା ୪୦,୫୩,୨୫୪ ୟୁନିଟ ଥିଲା। ସେହିପରି ଗତ ବର୍ଷ ବାଣିଜି୍ୟକ ଯାନବାହନ ପରିବହନ ୮୮,୩୦୫ ୟୁନିଟ୍‌ରୁ ୬୮,୪୭୩ ୟୁନିଟ୍‌କୁ ହ୍ରାସ ପାଇଥିଲାବେଳେ ଗତ ବର୍ଷ ତିନି ଚକିଆ ରପ୍ତାନି ୪,୧୭,୧୭୮ୟୁନିଟ୍‌ରୁ ୩୦% ହ୍ରାସ ପାଇ ୨,୯୧,୯୧୯ ୟୁନିଟ୍‌ରେ ପହଞ୍ଚତ୍ଛି।
ଏ ସମ୍ପର୍କରେ ଏସ୍‌ଆଇଏଏମ୍‌ର ମହାନିର୍ଦ୍ଦେଶକ ରାଜେଶ ମେନନ୍‌ କହିଛନ୍ତି, ୨୦୨୩ ରେ ଦକ୍ଷିଣ ଆଫ୍ରିକା ଏବଂ ଗଲ୍ଫ ଅଞ୍ଚଳ ଭଳି ପ୍ରମୁଖ ବଜାରରେ ଯାତ୍ରୀବାହୀ ଯାନ ରପ୍ତାନି ଯାନବାହନ ଚଳାଚଳ ଏବଂ ପେଣ୍ଟ ଅପ୍‌ ଚାହିଦା ଦ୍ୱାରା ପରିଚାଳିତ ହୋଇଥିଲାବେଳେ ୨୦୨୨ ତୁଳନାରେ ଏହି ବୃଦ୍ଧିକୁ ଏକ ସୁଗମ ଯୋଗାଣ ଶୃଙ୍ଖଳା ସହିତ ଦାୟୀ କରାଯାଇପାରେ ବୋଲି ସେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଡିସେମ୍ବର ମଧ୍ୟରେ ମାରୁତି ସୁଜୁକି ଇଣ୍ଡିଆ ଯାତ୍ରୀବାହୀ ଯାନ ବିଭାଗରେ ରପ୍ତାନିର ନେତୃତ୍ୱ ନେଇଥିଲା ଏବଂ ୨,୦୨,୭୮୬ ୟୁନିଟ୍‌ ଯାନ ରପ୍ତାନି କରିଥିଲା, ଯାହା ଏକ ବର୍ଷ ପୂର୍ବେ ୧,୯୨,୦୭୧ ୟୁନିଟ୍‌ ତୁଳନାରେ ୬% ବୃଦ୍ଧି ପାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ହୁଣ୍ଡାଇ ମୋଟର ଇଣ୍ଡିଆ ୧,୧୯,୦୯୯ ୟୁନିଟ୍‌ ଯାନ ରପ୍ତାନି କରିଥିଲାବେଳେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ କମ୍ପାନୀ ମୋଟ ୧,୨୯,୭୫୫ ୟୁନିଟ୍‌ ଯାନ ପଠାଇଛି। ସେହିପରି କିଆ ଇଣ୍ଡିଆ ୪୭,୭୯୨ ୟୁନିଟ୍‌ ଯାନ ରପ୍ତାନି କରିଥିଲାବେଳେ ଭଲସଓ୍ବାଗନ ୩୩,୮୭୨ ୟୁନିଟ୍‌, ନିସାନ୍‌ ୩୧,୬୭୮ ୟୁନିଟ୍‌ ଏବଂ ହୋଣ୍ଡା କାର୍‌ସ ୨୦,୨୬୨ ୟୁନିଟ୍‌ ୨୦୨୩-୨୪ ଆର୍ଥିକ ବର୍ଷର ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଯାନ ବିଦେଶକୁ ପଠାଇଛି।

Share