Categories: ଖେଳ

୨୧ କି.ମି. ସନ୍ତରଣ କରି ଜିୟାଙ୍କ ରେକର୍ଡ

ବାଲୁଗଁ।,୧୪।୧୧(ଡି.ଏନ୍‌.ଏ.): ଏସିଆ ମହାଦେଶର ସର୍ବବୃହତ୍‌ ଲବଣାକ୍ତ ହ୍ରଦ ଚିଲିକାରେ ରବିବାର ୧୩ ବର୍ଷୀୟା ଦିବ୍ୟାଙ୍ଗ ସନ୍ତରଣକାରୀ ଜିୟା ରାୟ ୨୧ କିଲୋମିଟର ସନ୍ତରଣ କରି ରେକର୍ଡ ସୃଷ୍ଟି କରିଛନ୍ତି ା ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ର କାଳିଜାଈ ମନ୍ଦିର ନିକଟରୁ ଏହି ଯାତ୍ରା ଆରମ୍ଭ କରି ୩ ଘଣ୍ଟା ୫୭ ମିନିଟ୍‌ରେ ସେ ବାଲୁଗାଁରେ ପହଞ୍ଚିଥିଲେ। ସେନାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଗଠିତ ଭେଟେରାନ୍ସ କ୍ଲବ୍‌, ଓଡ଼ିଶା ଆନୁକୂଲ୍ୟରେ ଏହି ସନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଭୋର୍‌ ୫ଟା ୩୦ରେ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ରର କମାଣ୍ଡିଂ ଅଫିସର କମୋଡର ଏନ୍‌. ପ୍ରଦୀପ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଜିୟାଙ୍କ ସୁରକ୍ଷା ପାଇଁ ଉଭୟ ପାର୍ଶ୍ୱରେ ଦୁଇଟି ବୋଟ୍‌ରେ ନୌସେନା କର୍ମଚାରୀ ଉପସ୍ଥିତ ଥିଲେ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କମୋଡର ଏନ୍‌. ପ୍ରଦୀପ ଯୋଗଦେଇ ଜିୟାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଭେଟେରାନ୍ସ କ୍ଲବ ସଭାପତି ବିଦ୍ୟାଧର ନାୟକ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବହୁ ନେତୃବୃନ୍ଦ ଓ ଜିୟାଙ୍କୁ ଉତ୍ସାହିତ କରିବା ନିମନ୍ତେ ବିଭିନ୍ନ ମହାବିଦ୍ୟାଳୟରୁ ୮ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର, ନୌସେନା କର୍ମଚାରୀ ଏବଂ ଭେଟେରାନ୍ସ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଭାରତୀୟ ନୌସେନାରେ କାର୍ଯ୍ୟରତ ମଦନ ରାୟଙ୍କ ଝିଅ ଜିୟା ୨ ବର୍ଷ ବୟସରେ ବାକ୍‌ଶକ୍ତି ହରାଇଥିଲେ। ପିଲାଦିନରୁ ସନ୍ତରଣ ପ୍ରଶିକ୍ଷଣ ନେବା ସହିତ ସର୍ବକନିଷ୍ଠ ସନ୍ତରଣକାରୀ ଭାବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ହାସଲ କରିଥିଲେ। ବିଗତ ୩ ବର୍ଷ ମଧ୍ୟରେ ଜିୟା ଦେଶ ଓ ରାଜ୍ୟସ୍ତରୀୟ ଓପନ୍‌ ୱାଟର ସୁଇମିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୨୬ ସ୍ବର୍ଣ୍ଣ ସହିତ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରି ଇଣ୍ଡିଆ, ଏସିଆ ଏବଂ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାମ ସ୍ଥାନିତ କରିଛନ୍ତି।

୨୦୨୧ରେ ଜିୟା ଶ୍ରୀଲଙ୍କାର ତାଲାଇମୋନାରୁ ଭାରତର ଧନୁଶକୋଡ଼ି ପର୍ଯ୍ୟନ୍ତ ଦୀର୍ଘ ୨୯ କିଲୋମିଟର ଜଳପଥକୁ ୧୩ ଘଣ୍ଟା ୧୦ ମିନିଟ୍‌ରେ ଅତିକ୍ରମ କରି ବିଶ୍ୱ ରେକଡର୍ର୍ ସୃଷ୍ଟି କରିଥିଲେ ା ଆରବ ସାଗରରେ ମୁମ୍ବାଇ ନିକଟ ବାନ୍ଦ୍ରା ଓ୍ବର୍ଲିଠାରୁ ଗେଟ୍‌ଓ୍ବେ ଅଫ୍‌ ଇଣ୍ଡିଆ ପର୍ଯ୍ୟନ୍ତ ୩୬ କିଲୋମିଟରକୁ ୮ଘଣ୍ଟା ୪୦ ମିନିଟ୍‌ରେ ଅତିକ୍ରମ କରି ଆଉ ଏକ ରେକର୍ଡର ଅଧିକାରୀ ହୋଇପାରିଥିଲେ। ୧୩ ବର୍ଷ ବୟସର ଜଣେ ଦିବ୍ୟାଙ୍ଗ ବାଳିକାଙ୍କ ଏପରି ସଫଳତା ଅନ୍ୟମାନଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛି।

Share