ଧୂଳି ନ ଉଡ଼ିବାକୁ ୨୧ଲକ୍ଷ ଖର୍ଚ୍ଚ

କଟକ ଅଫିସ,୨୩ା୧୧: ବାଲିଯାତ୍ରାରେ ଅନିୟମିତତା ଅଭିଯୋଗରେ ଜିଲା ପ୍ରଶାସନ ବିବାଦରେ ଥିବା ବେଳେ ଏବେ ଏହା ଭିତରକୁ ଟାଣି ହୋଇଆସିଛି କଟକ ମହାନଗର ନିଗମ(ସିଏମ୍‌ସି) ା ବିରୋଧୀ କର୍ପୋରେଟର ଅଭିଯୋଗ କରିଛନ୍ତି ଯେ ଏହି ବାଲିଯାତ୍ରାରେ ପ୍ରାୟ ୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସିଏମ୍‌ସି ଏହାର ତିନି ଭାଗରୁ ଗୋଟିଏ ଭାଗର ରିର୍ପୋଟ ପ୍ରଦାନ କରିଛି ା ବାଲିଯାତ୍ରାରେ ସମୁଦାୟ କେତେ ଟଙ୍କା ଖର୍ଚ୍ଚ ହୋଇଛି ସିଏମ୍‌ସି କର୍ପୋରେଟରମାନଙ୍କୁ ଖର୍ଚ୍ଚର ବିବରଣୀ ପ୍ରଦାନ କରୁନାହିଁ ା ଏପରିକି ବାଲିଯାତ୍ରା ପାଇଁ ସିଏମ୍‌ସି ପକ୍ଷରୁ କରାଯାଇଥିବା ସବ୍‌ କମିଟିଗୁଡିକୁ ମଧ୍ୟ କୌଣସି ଗୁରୁତ୍ୱ ଦିଆଯାଇ ନାହିଁ ା ସବ କମିଟିକୁ ଆୟ ଏବଂ ବ୍ୟୟକୁ ନେଇ ଅନ୍ଧାରରେ ରଖାଯାଉଛି ବୋଲି ଅଭିଯୋଗ ହେଉଛି ା
ସିଏମ୍‌ସି ପକ୍ଷରୁ କର୍ପୋରେଟରଙ୍କୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ବାଲିଯାତ୍ରାରେ ୩ କୋଟି ୩୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ା ବାଲିଯାତ୍ରା ପଡିଆରେ ବିଭିନ୍ନ କାର୍ଯ୍ୟ ପାଇଁ ବୁଲଡୋଜର, ହାଇଡ୍ରୋଲିକ୍‌ ଟିପ୍ପର ଏବଂ ଖନନକାରୀଙ୍କ ପାଇଁ ୧ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି ା ସେହିପରି ମୋରମ ବାବଦରେ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ା ତେବେ ସମୁଦାୟ ମାଟି ପକାଇବା ଏବଂ ରାସ୍ତା ଆଦି ନିର୍ମାଣ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହେଉଛି ା ସେହିପରି ଯାତ୍ରା ସମୟରେ ଧୂଳି ନଉଡ଼ିବା ପାଇଁ କେମିକାଲ ସିଞ୍ଚନ କରାଯାଉଥିବା କୁହାଯାଇଥିଲା। ହେଲେ ଏହାର ସେଭଳି କୌଣସି ପରିଣାମ ଦେଖିବାକୁ ମିଳିନଥିଲା। ତଳ ପଡିଆରେ କୌଣସି ପ୍ରକାରର ସିଞ୍ଚନ କରାଯାଇ ନଥିବା ବେଳେ ଉପର ପଡିଆରେ ଓରମାସ ପରିସରରେ ସବୁଜ ରଙ୍ଗ କପଡାରେ ଭୂମିକୁ ଘୋଡା ଯାଇଥିଲା। ଆଉ ବାକି ଖାଲି ପଡିଥିବା ସ୍ଥାନରେ କେମିକାଲ ସିଞ୍ଚନ କରାଯାଉଥିଲା। ଏଥିପାଇଁ ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ‘କଟକ ଇନ କଟକ’ ପରିସରରେ ଗଛ ଚାରି ପାଖରେ ପିଣ୍ଡି ନିର୍ମାଣ ପାଇଁ ୧୫ ଲକ୍ଷ, ଅସ୍ଥାୟୀ ଷ୍ଟଲ ନିର୍ମାଣ ପାଇଁ ୩୦ ଲକ୍ଷ, ଇଲେକ୍ଟ୍ରି କାର୍ଯ୍ୟ ପାଇଁ ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ା ତେବେ ଏନେଇ କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳ କହିଛନ୍ତି ସିଏମସି କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁଯାୟୀ ଧୂଳି ନ ଉଡିବା ପାଇଁ ୨୧ ଲକ୍ଷ ଖର୍ଚ୍ଚ ହୋଇଥିଲା ଯାହା ଅବିଶ୍ୱସନୀୟ। ସିଏମ୍‌ସି ଅଧିକ ଖର୍ଚ୍ଚ ଦେଖାଉଥିବା ବୋଲି ଭୋଳ ଅଭିଯୋଗ କରିବାସହ କେବଳ ଏହାର ତଦନ୍ତ ନୁହେଁ ବରଂ ଆୟ ଏବଂ ବ୍ୟୟ ଉପରେ ଏକ ସ୍ବତନ୍ତ୍ର ଅଡିଟ୍‌ ମଧ୍ୟ କରାଯାଉ ବୋଲି ସେ ଦାବି କରିଛନ୍ତି।
ସେହିଭଳି ଭାଜପା କର୍ପୋରେଟର ଗୋପାଳ ବେହେରା ଅଭିଯୋଗ କରିଛନ୍ତି ଯେ ସିଏମସି ଏଥିରେ ଅନାବଶ୍ୟକ ଖର୍ଚ୍ଚ କରିଛି ା ବାଲିଯାତ୍ରା ପଡିଆ ସଫା କରିବା ପାଇଁ ସିଏମ୍‌ସି ଏକ ଘରୋଇ ଏଜେନ୍ସିକୁ ନିୟୋଜିତ କରିଥିବାବେଳେ ୱାର୍ଡ ସଫେଇ କର୍ମୀଙ୍କୁ ଏଥିରେ ନିୟୋଜିତ କରିବା ସହ ଆବର୍ଜନା ପରିବହନ ପାଇଁ ଏଜେନ୍ସି ଦ୍ୱାରା ସିଏମ୍‌ସି ଗାଡି ବ୍ୟବହାର କରାଯାଇଛି। କଟକ ପାଇଁ ଗର୍ବର ବିଷୟ ଯେ ପ୍ରସିଦ୍ଧ ବାଲିଯାତ୍ରା ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା। କିନ୍ତୁ ରେକର୍ଡ ସୃଷ୍ଟି କରିବାରେ ବ୍ୟୟବରାଦର ସବିଶେଷ ତଥ୍ୟ ଲୋକମାନେ ଜାଣିବା ଉଚିତ ବୋଲି କର୍ପୋରେଟର କହିଛନ୍ତି। ତେବେ ଦିଆଯାଇଥିବା ରିପୋର୍ଟରେ ଡଙ୍ଗା ତିଆରି ଓ ଲେଜର ଲାଇଟ ଶୋ ବାବଦକୁ କେତେ ଖର୍ଚ୍ଚ ହୋଇଛି ତଥ୍ୟ ଦେଇନାହିଁ। କେବଳ ବିରୋଧୀ ଦଳର ନୁହନ୍ତି, ଶାସକ ଦଳର କିଛି କର୍ପୋରେଟର ମଧ୍ୟ ଏନେଇ ପ୍ରଶ୍ନ ଉଠାଇଛନ୍ତି ା ଏନେଇ ସିଏମ୍‌ସି ମେୟର ସୁବାସ ସିଂ କହିଛନ୍ତି, ଏସବୁ ଅଭିଯୋଗ ଭିତ୍ତିହୀନ। ଆୟବ୍ୟୟର ତଥ୍ୟ କିମ୍ବା ଏ ସମ୍ପର୍କିତ ସଫେଇ ପ୍ରଶାସନିକ ଅଧିକାରୀ ଦେବେ। ମୁଁ କିଛି କହିପାରିବି ନାହିଁ।

Share