Categories: ଜାତୀୟ

କଂଗ୍ରେସରେ ଆଜାଦଙ୍କ ଦଳର ୨୧ ନେତା

ନୂଆଦିଲ୍ଲୀ,୮ା୮:ଗୁଲାମ ନବୀ ଆଜାଦଙ୍କ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ଆଜାଦ ପାର୍ଟିର ୨୧ ଜଣ ନେତା ସୋମବାର ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେଇଛନ୍ତି। ଏହି ଅବସରରେ ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ, ଜମ୍ମୁ-କଶ୍ମୀର ଦାୟିତ୍ୱରେ ଥିବା ରଜନୀ ପାଟିଲ ଏବଂ ଜମ୍ମୁ-କଶ୍ମୀର କଂଗ୍ରେସ ସଭାପତି ରସୁଲ ଓ୍ବାନି ମଧ୍ୟ ଉପସ୍ଥିତ ଥିଲେ। କଂଗ୍ରେସ ନେତା ଜୟରାମ ରମେଶ ଆଜାଦଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯେଉଁମାନେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରୁଛନ୍ତି, ସେମାନେ ଜମ୍ମୁ-କଶ୍ମୀରର ବାସ୍ତବ ସ୍ଥିତି ଜାଣନ୍ତି ନାହିଁ ବୋଲି ଆଜାଦ କହିଥିଲେ। ସେ ଏଭଳି କହି ନିଜ ଡିଏନ୍‌ଏ ମ୍ୟୁଟେଶନର ନୂଆ ପ୍ରମାଣ ଦେଇଛନ୍ତି ବୋଲି କଂଗ୍ରେସ କହିଛି। କଂଗ୍ରେସରେ ଯୋଗଦେଇଥିବା ଜମ୍ମୁ-କଶ୍ମୀର ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ପାନ୍ଥର୍ସ ପାର୍ଟିର ଦୁଇଥରର ବିଧାୟକ ୟଶପାଲ କୁଣ୍ଡଲ,ଏଏପିର ଏସ୍‌ସି/ଏସ୍‌ଟି ବିଭାଗ ମୁଖ୍ୟ ରହିଛନ୍ତି। ଆଜାଦଙ୍କ ପାର୍ଟିରେ ଯୋଗଦେଇଥିବା ଜମ୍ମୁ-କଶ୍ମୀରର ପୂର୍ବତନ ପିସିସି ଉପସଭାପତି ହାଜି ଅବଦୁଲ ରଶିଦ ଦର୍‌ ମଧ୍ୟ କଂଗ୍ରେସକୁ ଫେରିଛନ୍ତି। କଂଗ୍ରେସ ଛାଡ଼ି ଆଜାଦଙ୍କ ଦଳରେ ଯୋଗଦେଇଥିବା ଅଧିକାଂଶ ନେତା ଇତିମଧ୍ୟରେ ପୁରୁଣା ଦଳକୁ ଫେରିଲେଣି।

Share