ଇସ୍ରାଏଲ ଆକ୍ରମଣରେ ଗୋଟିଏ ପରିବାରର ୨୧ ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ୧୫ ଶିଶୁ

ଜେରୁଜେଲମ,୬।୧୧: ଗାଜା ଉପରେ ଇସ୍ରାଏଲର ଆକ୍ରମଣରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଗାଜା ଷ୍ଟ୍ରିପରେ ଇସ୍ରାଏଲ ଜଳ ଏବଂ ସମସ୍ତ ଜରୁରୀ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଛି। ଦିନେ ରାତିରେ ଲଣ୍ଡନରେ ରହୁଥିବା ଅହମ୍ମଦ ଗାଜାରେ ରହୁଥିବା ପରିବାରକୁ ନେଇ ଚିନ୍ତିତ ଥିବାରୁ ଶୋଇପାରୁ ନ ଥିଲେ। ରାତିସାରା ଅଶାନ୍ତ ରହିବା ପରେ ସେ ଅନୁଭବ କଲେ ଯେ କିଛି ଭୁଲ ହୋଇଛି।

ବିବିସି ଉର୍ଦ୍ଦୁ ସେବା ଅନୁଯାୟୀ, ଯେତେବେଳେ ଅହମ୍ମଦ ତାଙ୍କ ପରିବାର ସହିତ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପରିବାରର ପ୍ରାୟ ସମସ୍ତ ସଦସ୍ୟଙ୍କର ମୃତ୍ୟୁ ହୋଇସାରିଛି। ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ତାଙ୍କ ଘରକୁ ଟାର୍ଗେଟ କରାଯାଇଥିବା ସେ ଖବର ପାଇଥିଲେ। ଏହି ଆକ୍ରମଣରେ ତାଙ୍କ ପରିବାରର ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ତାଙ୍କ ପିତା, ତିନି ଭଉଣୀ, ଦୁଇ ଭାଇ ଏବଂ ୧୫ ପିଲାଙ୍କର ମୃତ୍ୟୁ ଘଟିଛି। ବିବିସି ଉର୍ଦ୍ଦୁ ସେବା ଅନୁଯାୟୀ, ଅହମ୍ମଦ ଏତେ ଗଭୀର ଭାବରେ ଚକିତ ହୋଇଯାଇଛନ୍ତି ଯେ ମୃତ ପରିବାର ସଦସ୍ୟଙ୍କ ନାମ ଏବଂ ବୟସ ମନେ ରଖିବାରେ ସେ ଅସମର୍ଥ ହୋଇଯାଇଛନ୍ତି।

ଅହମ୍ମଦଙ୍କୁ ତାଙ୍କ କାର୍ଯ୍ୟାଳୟରେ ବୋନସ ଦିଆଯାଇଥିଲା। ତେଣୁ ପାରିବାରିକ ପରମ୍ପରା ଅନୁଯାୟୀ ସେ ପରିବାରର ସମସ୍ତ ପିଲାମାନଙ୍କୁ ଭୋଜି ଦେଉଥିଲେ। ସେ ବୋନସ ଟଙ୍କା ସହିତ ସମସ୍ତ ପିଲାମାନଙ୍କ ସହିତ ପିକନିକ କରିବାକୁ ଚାହୁଁଥିଲେ।
ଅହମ୍ମଦ ବିବିସି ଉର୍ଦ୍ଦୁକୁ କହିଛନ୍ତି, ମୁଁ ସମସ୍ତ ପିଲାଙ୍କ ଅନୁରୋଧ ପୂରଣ କରି ପିକନିକ କରିବାକୁ ସମୁଦ୍ର କୂଳକୁ ଯିବାକୁ କହିଲି। ସେମାନେ ସମୁଦ୍ର କୂଳରୁ ମୋତେ ଏକ ଭିଡିଓ କଲ ମଧ୍ୟ କରିଥିଲେ, ସମସ୍ତ ପିଲା ଭିଡିଓ କଲରେ କଥା ହେବା ପାଇଁ ନିଜ ମଧ୍ୟରେ ଝଗଡା କରୁଥିଲେ, କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି।
ଅହମ୍ମଦଙ୍କ ନଅ ଭାଇଭଉଣୀଙ୍କ ମଧ୍ୟରୁ କେବଳ ଦୁଇ ଭଉଣୀ ଏବଂ ସେ ଜୀବିତ ଅଛନ୍ତି। ଅହମ୍ମଦ ସୋସିଆଲ ମିଡିଆରେ ସମସ୍ତ ପିଲାଙ୍କ ଚିତ୍ର ପୋଷ୍ଟ କରିଛନ୍ତି।

Share