ଓଲିଙ୍କ କ୍ୟାବିନେଟରେ ୨୧ ମନ୍ତ୍ରୀ

କାଠମାଣ୍ଡୁ,୧୬ା୭(ପି.ଟି.): ନେପାଳ କମ୍ୟୁନିଷ୍ଟ ପାର୍ଟି ନେତା କେ.ପି. ଶର୍ମା ଓଲି ୪ର୍ଥ ଥର ପାଇଁ ନେପାଳ ପ୍ରଧାନମନ୍ତ୍ରୀ ଭାବେ ସୋମବାର ଶପଥ ନେଇଛନ୍ତି। ରବିବାର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ୍‌ ଓଲିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ନେପାଳୀ କଂଗ୍ରେସ ସହ ମେଣ୍ଟ ସରକାରର ନେତୃତ୍ୱ ନେଉଥିବା ଓଲି ତାଙ୍କ କ୍ୟାବିନେଟରେ ୨ ଜଣ ଉପପ୍ରଧାନମନ୍ତ୍ରୀ ଏବଂ ୧୯ ମନ୍ତ୍ରୀଙ୍କୁ ନେଇଛନ୍ତି। ରାଷ୍ଟ୍ରପତି ପୌଡେଲ ଉପପ୍ରଧାନମନ୍ତ୍ରୀ ଭାବେ ପ୍ରକାଶ ମାନ୍‌ ସିଂ ଏବଂ ବିଷ୍ଣୁ ପୌଡେଲ ଓ ଅନ୍ୟ ୧୯ ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି। ସିଂଙ୍କୁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ମିଳିଥିବାବେଳେ ବିଷ୍ଣୁପ୍ରକାଶଙ୍କ ହାତରେ ଅର୍ଥ ମନ୍ତ୍ରଣାଳୟ ରହିଛି। ନେପାଳୀ କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଉବାଙ୍କ ସ୍ତ୍ରୀ ଅର୍‌ଜୁ ରାଣା ଦେଉବା ବହିର୍ବ୍ୟାପାର ମନ୍ତ୍ରୀ ହୋଇଛନ୍ତି। ନେପାଳୀ କଂଗ୍ରେସରୁ ୧୦ ଜଣ ମନ୍ତ୍ରୀ ହୋଇଥିବାବେଳେ ସିପିଏନ୍‌-ୟୁଏମ୍‌ଏଲ୍‌ରୁ ପ୍ରଧାନମନ୍ତ୍ରୀ ଓଲିଙ୍କ ସମେତ ୮ ଜଣ ରହିଛନ୍ତି।

Share