ଗ୍ରାମାଞ୍ଚଳ ଥାନାରେ ନିୟୋଜିତ ହେବେ ୨୧ ନୂଆ ଏଏସ୍‌ଆଇ

ବ୍ରହ୍ମପୁର ଅଫିସ,୨୬ା୪: ଏଏସ୍‌ଆଇ ଭାବେ ନିଯୁକ୍ତି ପାଇଁ ୨ ମାସ ଟ୍ରେନିଂ ନେବା ପରେ ପ୍ରାକ୍ଟିକାଲ ଟ୍ରେନିଂ ନେବାକୁ ବ୍ରହ୍ମପୁର ପୋଲିସ ଜିଲାରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ ଥାନାରେ ୨୧ଜଣ ପୋଲିସ ନିୟୋଜିତ ହେବେ। ଏଥିସହ ଗୋଟିଏ ସପ୍ତାହ କୌଣସି ଏକ ଫାଣ୍ଡିରେ ମଧ୍ୟ କାମ କରିବେ। ଏହି ଅବସରରେ ସମସ୍ତ ୨୧ ଜଣ ପୋଲିସ ବୁଧବାର ବ୍ରହ୍ମପୁର ପୋଲିସ ମୁଖ୍ୟାଳୟ ଯାଇ ଏସ୍‌ପି ଡା. ଶ୍ରବଣ ବିବେକ ଏମ.ଙ୍କ ସହ ସାକ୍ଷାତ କରିଛନ୍ତି। ଆସନ୍ତା ଜୁନ୍‌ ୨୦ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ଏହି ଅବଧି ଧାର୍ଯ୍ୟ ହୋଇଛି।

ଏନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ବ୍ରହ୍ମପୁର ପୋଲିସ ଜିଲାରେ ନିୟୋଜିତ ହେବାକୁ ଥିବା ୨୧ ଏଏସ୍‌ଆଇଙ୍କ ମଧ୍ୟରୁ ସଦର ଥାନା, ଗୋପାଳପୁର ଥାନା ଓ ଦିଗପହଣ୍ଡି ଥାନାରେ ୪ଜଣ ଲେଖାଏ, କ.ନୂଆଗାଁ ଥାନା , ଜର ଥାନା ଓ ଗୋଳନ୍ଥରା ଥାନାରେ ୩ ଜଣ ଲେଖାଏ ନିୟୋଜିତ ହେବେ। ସମସ୍ତ ୨୧ ଜଣ ପୋଲିସ ଆସନ୍ତା ଜୁନ୍‌ ୧୩ ପର୍ଯ୍ୟନ୍ତ ଉପରୋକ୍ତ ଥାନାଗୁଡ଼ିକରେ ରହି କାମ ଶିଖିବେ ଓ ପରେ ସେମାନେ ଉପରୋକ୍ତ ଥାନା ଅଧୀନରେ ଥିବା ଫାଣ୍ଡିଗୁଡ଼ିକରେ ଜୁନ୍‌ ୨୦ ପର୍ଯ୍ୟନ୍ତ କାମ କରିବେ। ପ୍ରତ୍ୟେକ ଥାନାଧିକାରୀ ସେମାନଙ୍କ କାର୍ଯ୍ୟଶୈଳୀଗୁଡ଼ିକ ଉପରେ ନଜର ରଖିବା ସେମାନଙ୍କୁ ଗାଇଡ୍‌ ମଧ୍ୟ କରିବେ ବୋଲି ଜଣାପଡ଼ିଛି।

Share