୨୧ ନୂଆ ବସ୍‌ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୨ କୋଟି ଲୋକ

ଭୁବନେଶ୍ୱର,୨୩ା୮(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନ କରିଛନ୍ତି। ଏହାସହିତ ୨୬ଟି ଜିଲାରେ ୧୨୪ଟି ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ମଧ୍ୟ ରଖିଛନ୍ତି। ଏହାକୁ ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ୍‌ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସମସ୍ତ ବସ୍‌ଷ୍ଟାଣ୍ଡ ସମ୍ପୂର୍ଣ୍ଣ ହେଲେ ରାଜ୍ୟର ୨ କୋଟି ଲୋକ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସମସ୍ତ ବସ୍‌ଷ୍ଟାଣ୍ଡ ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ। ଏଥିରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀମାନଙ୍କ ପାଇଁ ସସସ୍ତ ପ୍ରକାର ସୁବିଧା ଉପଲବ୍ଧ । ଏହାସହିତ ମୁଖ୍ୟମନ୍ତ୍ରୀ ମୋ’ ପରିବହନ ସେବା ଓ ମୋବାଇଲ ଆପ୍‌ର ଶୁଭାରମ୍ଭ କରିଥିଲେ। ଡ୍ରାଇଭରମାନଙ୍କୁ ଗାଡ଼ି ଚଳାଇବା କ୍ଷେତ୍ରରେ ଅଧିକ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୁ-ବାହକ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ୫୦ ହଜାର ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦିଆଯିବ। ଗଞ୍ଜାମର ପାଲୁରଠାରେ ଏକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଉଦ୍‌ଘାଟନ କରିଥିଲେ। ସଡ଼କ ଓ ସଡ଼କ ବ୍ୟବହାରକରୀ ତଥା ଯାତ୍ରୀମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

Share