Categories: ଭଦ୍ରକ

ବେଆଇନ ବାଲି ଖାଦାନରେ ଚଢ଼ାଉ: ୨୧ ଟ୍ରାକ୍ଟର ଜବତ

ଭଣ୍ଡାରିପୋଖରୀ, ୨୫ା୬(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବୈତରଣୀ ନଦୀର ବନ୍ଦାଲୋ ମଢିଆଳିଠାରୁ ଷୋଳମପୁର ପଞ୍ଚାୟତର ଦାଣ୍ଡକୁଳ ପର୍ଯ୍ୟନ୍ତ ବିଭିନ୍ନ ଘାଟରୁ ଶହ ଶହ ଟ୍ରିପ ବାଲି ପ୍ରଶାସନ ଜାଣତରେ ଟ୍ରକ, ଟ୍ରାକ୍ଟର ଓ ହାଇଓ୍ବାରେ ଚୋରାଚାଲାଣ ହେଉଛି। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଗୁରୁବାର ଭୋର ସମୟରେ ପୋଲିସ ପକ୍ଷରୁ ବାଲିପୋଖରୀଠାରେ ଚଢାଉ କରାଯାଇ ୨୧ଟି ଟ୍ରାକ୍ଟରକୁ ଜବତ କରାଯାଇଛି। ଖବରପାଇ ସ୍ଥାନୀୟ ଅଞ୍ଚଳର ଟ୍ରାକ୍ଟରଗୁଡିକ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଟ୍ରାକ୍ଟର ଧରାପଡିଛନ୍ତି। ଏହି ଚଢ଼ାଉ ଅପରାହ୍ନ ପର୍ଯ୍ୟନ୍ତ ଚାଲୁ ରହିଥିଲା। ପୋଲିସ ଜବତ କରିଥିବା ଟ୍ରାକ୍ଟରଗୁଡିକୁ ଉପରେ ମାମଲା ରୁଜୁ କରିବା ସହ ପରିବହନ ବିଭାଗ ଦ୍ୱାରା ଗାଡିର ଆବଶ୍ୟକ କାଗଜପତ୍ର, ଟ୍ୟାକ୍ସ, ଇନ୍ସୁରାନ୍ସ, ଫିଟନେସ ଯାଞ୍ଚ କରାଯିବ ବୋଲି ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ସୂଚନା ଦେଇଛନ୍ତି। ଜବତ ୨୧ ଟ୍ରାକ୍ଟରକୁ ତହସିଲ ପରିସରରେ ରଖାଯାଇଛି। ଭଦ୍ରକ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ଏସ୍‌ଡ଼ିପିଓ ମନୋରଞ୍ଜନ ସାମଲ, ଭଣ୍ଡାରିପୋଖରୀ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ଧାମନଗର ଥାନାଧିକାରୀ ରତିକାନ୍ତ ଗିରି, ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁ , ଧାମନଗର ଏଏସ୍‌ଆଇ ହୃଷିକେଶ ବିଶ୍ୱାଳ ,ମଞ୍ଜୁରୀରୋଡ ଫାଣ୍ଡି ଏଏସ୍‌ଆଇ ବ୍ରଜକିଶୋର ଦାସ , ଜଗନାଥପ୍ରସାଦ ଅତିରିକ୍ତ ରାଜସ୍ବ ନିରୀକ୍ଷକ କମଳାକାନ୍ତ ନାୟକ ଓ ପୋଲିସ ଫୋର୍ସ ଚଢାଉରେ ସାମିଲ ହୋଇଥିଲେ। ସେହିପରି ମଣିନାଥପୁର, ମୁଢ଼ାପଦା, ଦାଣ୍ଡକୁଳ, ନେରଡା, ଝୁଟଣା, ବନ୍ଦାଲୋ ଆଦି ଅଞ୍ଚଳରେ ଦୈନନ୍ଦିନ ଶହ ଶହ ଟ୍ରିପ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି।