Categories: ଜାତୀୟ

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ ଏହି ଯୁବକ ସ୍କୁଲ୍‌ ଛାତରେ ଥିବା ପତାକା ସ୍ତମ୍ଭରୁ ମୁଣ୍ଡ ତଳକୁ କରି ଝୁଲୁଥିବାବେଳେ ତାଙ୍କର କେତେଜଣ ସାଙ୍ଗ ଉକ୍ତ ଷ୍ଟଣ୍ଟକୁ ରେକର୍ଡିଂ କରୁଥିଲେ। ଶିବମ୍‌ ଝୁଲି ରହିଥିବା ଅବସ୍ଥାରେ ପତାକା ଉଠାଇବାକୁ ଚାହୁଁଥିଲେ। ତେବେ ସିମେଣ୍ଟରେ ତିଆରି ଉକ୍ତ ସ୍ତମ୍ଭଟି ଓଜନ ସମ୍ଭାଳି ନ ପାରି ଭାଙ୍ଗିପଡ଼ିବାରୁ ଶିବମ୍‌ଙ୍କର ମୃତ୍ୟୁ ଘଟିଥିଲା। ଜନପଦ ବନ୍ଦା ଅନ୍ତର୍ଗତ ଖଇରଡ଼ା ଗ୍ରାମରେ ଥିବା ଜୁନିୟର ହାଇସ୍କୁଲ୍‌ରେ ଗୁରୁବାର ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଶିବମ୍‌ ତାଙ୍କ ବାପାଙ୍କୁ ରେଳଷ୍ଟେଶନରୁ ଆଣି ଘରେ ଛାଡ଼ିବା ପରେ ଅପରାହ୍ନ ୫ଟାରେ ସ୍କୁଲରେ ପହଞ୍ଚତ୍ଥିଲେ। ସେଠାରେ ତାଙ୍କ ସାଙ୍ଗ ଅନୁ ଏବଂ ଅଙ୍କିତ ଅପେକ୍ଷା କରିଥିଲେ। ଛାତ ଉପରେ ଚଢ଼ି ସେମାନେ ଇନ୍‌ଷ୍ଟାଗ୍ରାମ ପାଇଁ ରିଲ୍‌ କରୁଥିବାବେଳେ ପତାକାସ୍ତମ୍ଭ ଭାଙ୍ଗିଯିବାରୁ ଶିବମ୍‌ ଏହା ତଳେ ଚାପିହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ପୂର୍ବରୁ ସେ ଅନେକ ଷ୍ଟଣ୍ଟ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଥିଲେ।

Share